ଭିଡିଓ ଭାଇରାଲ କରିବାରୁ ହତ୍ୟା!

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଭାଇରାଲ ଭିଡିଓ ଭଳି ଅଭିଯୋଗ ବଢ଼ି ଚାଲିଥିବାବେଳେ ଏହାକୁ ନେଇ ସାଂଘାତିକ ଓ ଜଘନ୍ୟ ଅପରାଧ ମଧ୍ୟ ଘଟି ଚାଲିଛି। ଗତକାଲି ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା କୁଆଖାଇ ନଦୀପଠାରୁ ଅଧାପୋଡ଼ା ମୃତଦେହ ଜବତ ହେବା ପରେ ଏହା ପଛରେ ଥିବା ରହସ୍ୟ କ୍ରମଶଃ ପଦାକୁ ଆସିବାରେ ଲାଗିଛି। ଆଜି ପୁଲିସ ମୃତ ଯୁବକଙ୍କ ପରିଚୟ ପାଇଛି। ତାଙ୍କ ନାଁ ଉନ୍ମୟ ପାଢ଼ୀ(୪୭)। ଘର ବଡ଼ଗଡ଼ ଥାନା ଅଧୀନ ବିଜେବିନଗର ପ୍ଲଟ୍‌ ନମ୍ବର ୪୭୭୬ରେ। ଅଭିଯୋଗ ହୋଇଛି କି ଯୁବକ ଜଣକ ଜଣେ ବଙ୍ଗୀୟ ଯୁବତୀଙ୍କ ସହିତ ବିତାଇଥିବା ଏକାଧିକ ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ତେଣୁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଉନ୍ମୟଙ୍କୁ ଗତବର୍ଷ ମାର୍ଚ ମାସ ୧୦ ତାରିଖରେ ଖାରବେଳନଗର ଥାନା ପୁଲିସ ଗିରଫ କରିଥିଲା। ୟୁନିଟ-୩ ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ରହୁଥିବା ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଜଣେ ଯୁବତୀ ସେତେବେଳେ ଥାନାରେ ଅଭିଯୋଗ କରିବା ସହିତ ପୁଲିସକୁ ଏକ ଭିଡିଓ ଦେଖାଇଥିଲେ। କହିଥିଲେ, ଉନ୍ମୟ ତାଙ୍କ ସହିତ ବିତାଇଥିବା କେତେକ ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଯାହା ଫଳରେ ତାଙ୍କ ମାନସମ୍ମାନରେ ଆଞ୍ଚ ଆସିଛି। ପୁଲିସ ଉନ୍ମୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଉନ୍ମୟ ନୂଆପଲ୍ଲୀ ଅଞ୍ଚଳରେ ଥିବା ଆଇସିଏ ନାମକ ଏକ ଶିକ୍ଷାନୁଷ୍ଠାନର ଓଡ଼ିଶା ମୁଖ୍ୟ ଥିଲେ। ଖାରବେଳନଗର ଥାନା ଅଧୀନ କେଶରୀ ସିନେମା ହଲ୍‌ ନିକଟରେ ଆଇସିଏର ଏକ ଶାଖା କାର୍ଯ୍ୟାଳୟ ଥିଲା। ବଙ୍ଗୀୟ ଯୁବତୀ ଜଣକ ସେଠାରେ ପହଞ୍ଚି ଉନ୍ମୟଙ୍କୁ ସାକ୍ଷାତ କରି ଆକାଉଣ୍ଟାଣ୍ଟ ଚାକିରି ପାଇଥିଲେ। ଚାକିରି ପାଇବା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଏପରିକି ସମ୍ପର୍କ ଶାରୀରିକ ସମ୍ପର୍କରେ ବଦଳି ଯାଇଥିଲା। ସେମାନଙ୍କ ମଧ୍ୟରେ ଏଭଳି ଅନେକ ଅନ୍ତରଙ୍ଗ ମୁହୂର୍ତର ଏକାଧିକ ଦୃଶ୍ୟକୁ ଉନ୍ମୟ କ୍ୟାମେରାରେ ସୁଟିଂ କରି ନେଇଥିଲେ। ପରବର୍ତୀ ସମୟରେ ଯୁବତୀ ଜଣକ ଅଭିଯୋଗ କରିଥିଲେ କି, ଉନ୍ମୟ ଭିଡିଓ ଭାଇରାଲ କରିବାକୁ ତାଙ୍କୁ ଧମକ ଚମକ ଦେଉଛନ୍ତି।

ତିନିଦିନ ତଳେ ଭାଇରାଲ ହୋଇଥିଲା ଚାନ୍ଦବାଲି ଭିଡିଓ

ସଂପୃକ୍ତ ଯୁବତୀଙ୍କ ସହିତ ବିତାଇଥିବା ଆଉ ଏକ ଭିଡିଓ ୩ ଦିନ ତଳେ ସୋସିିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ଚାନ୍ଦବାଲି ଅଞ୍ଚଳରେ ଜୋରଦାର ଚର୍ଚାର ବିଷୟ ପାଲଟିଛି। ଏ ନେଇ ଯୁବତୀ ଜଣକ ୨୦ ତାରିଖ ସକାଳୁ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସେହି ଦିନ ରାତିରେ ଉନ୍ମୟ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିଲେ। ଏ ନେଇ ଉନ୍ମୟଙ୍କ ବଡ଼ ଭାଇ ଚିନ୍ମୟ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମିସିଂ ରିପୋର୍ଟ କରିଥିଲା।

ଭାଇରାଲ ଭିଡିଓ ଲିଙ୍କ୍‌!

ଗତକାଲି ସକାଳୁ ସକାଳୁ ନହରକଣ୍ଟା ନଦୀପଠାରେ ଏକ ଅଧାପୋଡ଼ା ମୃତଦେହ ପଡ଼ିଥିବା ନେଇ କିଛି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ପୁଲିସ ଏକ ଲାପଟପ୍‌, ଅଧା ପୋଡ଼ି ଯାଇଥିବା ପେନ୍‌ ଡ୍ରାଇଭ, ଏକ ବାଇକ୍‌, ଯୁବତୀଙ୍କ ଚପଲ, ଛୁରି ଜବତ କରିଥିଲା। ଲେଡିଜ୍‌ ଚପଲ ଜବତ ହେବା, ଲାପଟପ୍‌ ଆଦି ମିଳିବା ଘଟଣା ସହିତ ପୁଲିସ ଭାଇରାଲ ଭିଡିଓର ହତ୍ୟା ସହିତ ଲିଙ୍କ୍‌ ଥିବା ନେଇ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର