କୁକୁଡ଼ା ଓ କୁକୁରଙ୍କୁ ବିଷ ଦେଇ ଘରକୁ ପଶିଲେ, ବନ୍ଧୁକ ମୁନରେ ଲୁଟିଲେ ୭ ଲକ୍ଷ ଟଙ୍କା, ସିସିଟିଭି ଭାଙ୍ଗି ବାହାରିଗଲେ

ମୁମ୍ବାଇ: ମୁମ୍ବାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମୁମ୍ବାଇର ଏକ ବୟସ୍କ ଦମ୍ପତିଙ୍କଠାରୁ ୫ ଜଣ ଅଜଣା ବ୍ୟକ୍ତି  ୭ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଦହାନୁର ପାଲଘରଠାରେ ଥିବା ଏହି ପାର୍ସି ଦମ୍ପତିଙ୍କଠାରୁ ଲୁଟ୍‌ କରିବା ସକାଶେ ସେମାନଙ୍କ ଘର ଜଗିଥିବା କୁକୁର ଓ କୁୁକୁଡ଼ାମାନଙ୍କୁ ବିଷ ପିଆଇ ଦେଇଥିବା ସୂଚନା ରହିଛି। ଦୁର୍ବୃତ୍ତମାନେ ଲୁଟ୍‌ କରି ଯିବା ପରେ ଦମ୍ପତି ନିଜର ପୋଷା କୁକୁର ଓ ଦୁଇଟି କୁକୁଡ଼ାକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ।

ଦୁର୍ବୃତ୍ତମାନେ ଏତେ ଚତୁର ଯେ ସେମାନେ ଦମ୍ପତିଙ୍କ ଘର ଛାଡ଼ି ଯିବା ପରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇ ଚାଲି ଯାଇଛନ୍ତି। ପୀଡ଼ିତ ଦମ୍ପତି ହେଉଛନ୍ତି ରେହିନଟନ୍‌ ଏବଂ ହୋମାଇ।

ଭନଗାଓଁର ବିୱାଡା ଗାଁରେ ରେହିନଟନ୍‌ ଏବଂ ତାଙ୍କ ପତ୍ନୀ ହୋମାଇ ନିଜ ବାସଭବନରେ ଶୋଇଥିଲେ। ଶୁକ୍ରବାର ରାତି ପ୍ରାୟ ୧.୩୦ ସମୟରେ ଦମ୍ପତି ତାଙ୍କ ଘର ଭିତରୁ କିଛି ଶବ୍ଦ ଶୁଣିବା ପରେ ସେମାନଙ୍କ ନିଦ ଭାଙ୍ଗି ଯାଇଥିଲା। ଯେତେବେଳେ ଏହି ଦମ୍ପତି ଶୋଇବା ଅଧାରୁ ଉଠି ଦେଖିବାକୁ ଗଲେ ସେତେବେଳେ ତାଙ୍କୁ ଅସ୍ତ୍ରଧାରୀ କିଛି ଗୁଣ୍ଡା ଘେରି ଯାଇ ଲୁଟ୍‌ ଆରମ୍ଭ କରିଥିଲେ।

ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଦୁର୍ବୃତ୍ତମାନେ ଦମ୍ପତିଙ୍କ ଘରର ପଛ କବାଟ ଭାଙ୍ଗିବା ବେଳେ ଶବ୍ଦ ଶୁଣି ସେମାନେ ଉଠି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଅଟକାଇ ରଖିଥିବା ବେଳେ ଅନ୍ୟମାନେ ଲୁଟ୍‌ କରିଥିଲେ।

ସମ୍ବନ୍ଧିତ ଖବର