ଇଏ କି ସମ୍ପର୍କ! ଝିଅକୁ ପଥରରେ, ଛେଚିଲା ବାପା

ସମ୍ବଲପୁର: ରୋଜଗାର କରିବାକୁ ଗଲାନି ବୋଲି ଝିଅକୁ ପଥରରେ ଛେଚି ନିଜ ବାପ ହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ‌ଲୋମହର୍ଷଣକାରୀ ଘଟଣା ଘଟିଛି ବୁର୍ଲା ଥାନା ସିକିର୍ଡିର ଖଡ଼ିଆପଡ଼ା ଅଞ୍ଚଳର। ମହିଳାଙ୍କ ନାମ ରଞ୍ଜିତା ବାଗ(୨୭) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ରଞ୍ଜିତା ପ୍ରାୟ ୩ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଜନ୍ମ ହୋଇଥିଲା। କିନ୍ତୁ ଏହା ପରଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରେ ସେ ଶ୍ବଶୁର ଘର ଛାଡ଼ି ବାପଘରକୁ ଚାଲି ଆସିଥିଲେ। ସେହିଦିନଠାରୁ ରଞ୍ଜିତା ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାମ କରୁଥିଲେ। ନିଜେ ଚଳିବା ସହ ପରିବାରର ମଧ୍ୟ ପ୍ରତିପୋଷଣ କରୁଥିଲେ। ତେବେ ୩ ଦିନ ହେବ ରଞ୍ଜିତା କାମକୁ ଯାଇନଥିବାରୁ ଏହାକୁ ନେଇ ତାଙ୍କ ବାପା ଶ୍ୟାମସୁନ୍ଦର ଓ ମା’ କୁନ୍ତଳାଙ୍କ ସହ ଝଗଡ଼ା ହେଉଥିଲା। ସୋମବାର ରାତିରେ ଏହାକୁ କେନ୍ଦ୍ରକରି ପ୍ରଥମେ ମା’-ଝିଅ ମଧ୍ୟରେ କଳହ ହୋଇଥିଲା ଏଥିରେ ଉତ୍ତ୍ୟକ୍ତ ହୋ‌ଇ ପ୍ରଥମେ ରଞ୍ଜିତା ତାଙ୍କ ମା’ କୁନ୍ତଳାଙ୍କ ଗୋଡ଼କୁ ପଥର ମାଡ଼ କରିଥିଲେ। ଏହି ଘଟଣା ପରେ ଶ୍ୟାମସୁନ୍ଦର ରାଗି ଯାଇ ପଡ଼ିଥିବା ପଥରରେ ଝିଅର ମୁଣ୍ଡକୁ ଛେଚି ଦେଇଥିଲା।

ରାତିତମାମ୍‌ ରଞ୍ଜିତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିଲେ ମଧ୍ୟ ପରିବାରଲୋକେ ରାଗରେ ତାଙ୍କୁ ମେଡିକାଲକୁ ଆଣିନଥିଲେ। ସକାଳ ୬ଟାରେ ଗାଁ ଦେଇ ଆସୁଥିବା ଏକ ବସ୍‌ରେ ରଞ୍ଜିତା ତାଙ୍କ ପୁଅକୁ ନେଇ ବୁର୍ଲା ମେଡିକାଲକୁ ଆସିଥିଲେ। କିନ୍ତୁ ଚିକିତ୍ସା ହେବାର କିଛି ସମୟ ମଧ୍ୟରେ ସେ ସଂଜ୍ଞା‌ହୀନ ହୋଇପଡ଼ିଛନ୍ତି। ସେପଟେ, ତାଙ୍କ ଶିଶୁପୁତ୍ରକୁ ପୁଲିସ୍‌ ଉଦ୍ଧାର କରି ନିଜ ଦାୟିତ୍ବରେ ରଖିଛି। ଅଭିଯୁକ୍ତ ବାପ ଶ୍ୟାମସୁନ୍ଦର ବାଗଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ବି.ବି.ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର