ହ୍ଵାଟ୍‌ସଆପ୍‌ରେ ପିଲା ଚୋର ଭାବେ ଘୂରୁଥିଲା ମାନସିକ ଦିବ୍ୟାଙ୍ଗ ମହିଳାଙ୍କ ଫଟୋ; ପିଟି ପିଟି ହତ୍ୟା କଲେ ସ୍ଥାନୀୟ ଲୋକେ

ଭୋପାଲ: ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ବି ଦେଶରେ ଭିଡ଼ ହିଂସା କମିବାର ନାଁ ଧରୁନି। କେହି ନା କେହି କିଛି ଦିନ ଅନ୍ତରରେ କାହାକୁ ଗୋଷ୍ଟୀବଦ୍ଧ ଭାବେ ମାରପିଟା କରିବା ପରି ଘଟଣା ସାମ୍ନାକୁ ଆସି ଯାଉଛି। ଏବେ ମଧ୍ୟପ୍ରଦେଶରେ ସେପରି ଏକ ଘଟଣା ଦେଖିବାକୁ ମିଳିଛି। ଏମ୍‌ପିର ସିଙ୍ଗରୋଲ ଜିଲ୍ଳାର ମୋରଓ୍ଵା ଥାନାରେ ପିଲା ଚୋର ଅଭିଯୋଗରେ ସ୍ଥାନୀୟ ଲୋକେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରିଥିବା ଜାଣିବାକୁ ମିଳିଛି। ସବୁଠାରୁ ଦୁଃଖର କଥା ହେଉଛି ମହିଳା ଜଣକ ମାନସିକ ଭାବେ ଦୁର୍ବଳ ବୋଲି ଜଣାପଡ଼ିଛି। ଏହି ଘଟଣା ଶନିବାର ରାତିରେ ଘଟିଯାଇଛି। ପୁଲିସ୍‌ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିିଛି ଯେ ‘ଲୋକପ୍ରିୟ ମେସେଜିଂ ଆପ୍‌ ହ୍ଵାଟ୍‌ସଆପ୍‌ରେ ପିଲା ଚୋରିକୁ ନେଇ ଏକ ମେସେଜ୍‌ ଭାଇରାଲ୍‌ ହୋଇଥିଲା। ସେଥିରେ ମହିଳାଙ୍କୁ ପିଲା ଚୋର ବୋଲି ଚିହ୍ନଟ କରାଯାଇଥିଲା। ଧୀରେ ଧୀରେ ମେସେଜ୍‌ଟି ପୂରା ଅଞ୍ଚଳରେ ଛାଇଗଲା। ଏହା ପରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଧରି ଏତେ ମାଡ଼ ମାରିଲେ ଯେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ଉକ୍ତ ମହିଳାଙ୍କ ମୃତ ଶରୀରକୁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରିଛି।

ଉଲ୍ଳେଖଯୋଗ୍ୟ, ନିକଟରେ ଏହି ପିଲା ଚୋରି ସନ୍ଦେହରେ ପ୍ରାୟ ୩୦ ଜଣଙ୍କ ଜୀବନ ଯାଇଛି। ଏପରି ଆଇନ୍‌କୁ ହାତକୁ ନେଇ କୌଣସି ବି ଲୋକକୁ ମାରଧର କରିବା ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରି ଆଇନ୍‌ ହାତକୁ ନ ନେବା ପାଇର୍ ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର