ଜମି ପାଇଁ ପତ୍ନୀଙ୍କୁ ହତ୍ୟା ଘଟଣା: ସ୍ୱାମୀ ଗିରଫ

ଶ୍ୱଶୁରୁ, ଶାଶୂ ଓ ଦେଢ଼ଶୁର ଫେରାର

ଭୁବନେଶ୍ୱର: ୨ଗୁଣ୍ଠ ଜମି ପାଇଁ ପତ୍ନୀକୁ ପିଟିପିଟି ହତ୍ୟା ଘଟଣାରେ ଶୁକ୍ରବାର ସହିଦନଗର ଥାନା ପୁଲିସ ଅଟକ ରଖିଥିବା ଦୀପିକାଙ୍କ ସ୍ୱାମୀ ଅଜିତ ରଣାକୁ ଆଜି କୋର୍ଟ ଚାଲାଣ କରିଛି। ତେବେ ଘଟଣାରେ ସମ୍ପୃକ୍ତ ଦୀପିକାଙ୍କ ଶାଶୂ, ଶ୍ୱଶୁର ଓ ଦେଢ଼ଶୁରଙ୍କୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ପୁଲିସ ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଦୀପିକା ଅଜିତଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦୀପିକାଙ୍କ ବାପା ପ୍ରଦୀପ୍ତ ରଣା ଦାବି ମୁତାବକ ସମସ୍ତ ଯୌତୁକ ଦେଇଥିଲେ। ତେବେ ଗତ ୪ମାସ ହେବ ଅଧିକ ଯୌତୁକ ଦେବାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା।

ଟଙ୍କପାଣି ରୋଡ୍‌ ନିକଟରେ ଅଜିତଙ୍କ ଏକ ସିମେଣ୍ଟ ନନ୍ଦ ଦୋକାନ ରହିଛି। ସେଠାରେ ଆଉ ଏକ ଦୋକାନ କରିବା ପାଇଁ ଅଜିତ ଯୋଜନା କରିଥିଲେ। ଏଥିପାଇଁ ଅଜିତ ଘରେ ଟଙ୍କା ମାଗିଥିଲେ। ହେଲେ ଅଜିତଙ୍କ ପରିବାର ଲୋକ ତାଙ୍କ ଶ୍ୱଶୁର ଘରୁ ୨ଗୁଣ୍ଠ ଜମି ଆଣିବା ପାଇଁ କହିଥିଲେ। ଜମି ବିକ୍ରିକରି ସେହି ଟଙ୍କାରେ ଦୋକାନ କରିବା ପାଇଁ ପରିବାର ଲୋକ କହିଥିଲେ। ପରିବାର ଲୋକଙ୍କ କଥାରେ ପଡ଼ି ଅଜିତ ଦୀପିକାଙ୍କୁ ଯୌତୁକ ବାବଦକୁ ୨ଗୁଣ୍ଠ ଜମି ଆଣିବାକୁ କହିଥିଲେ। କିଛିମାସ ତଳେ ଦୀପିକା ଘଟଣା ବିଷୟରେ ବାପା ପ୍ରଦୀପ୍ତଙ୍କୁ ଜଣାଇଥିଲେ। ହେଲେ ପ୍ରଦୀପ୍ତ ଜମି ଦେବାକୁ ମନା କରିଥିଲେ। ଏହାକୁ ନେଇ ଅଜିତ ଓ ତାଙ୍କ ପରିବାର ଲୋକ କ୍ଷୁବ୍ଧ ହୋଇଯାଇଥିଲେ। ସେବେଠାରୁ ବିଭିନ୍ନ ସମୟରେ ଦୀପିକାଙ୍କ ଉପରେ ଆଜିତ ଓ ତାଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ତେବେ ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଦୀପିକା ଘରେ ଶୋଇଥିବା ବେଳେ ଅଜିତ ନିଶାସକ୍ତ ଅବସ୍ଥାରେ ଆସି ଗାଳିଗୁଲଜ କରିଥିଲା। ଦୀପିକା ପ୍ରତିବାଦ କରିବାରୁ ଅଜିତ ରାଗିଯାଇ ଏକ ବହ୍ଲାରେ ଦୀପିକାଙ୍କୁ ପିଟି ଚାଲିଥିଲା। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ହାତ, ଗୋଡ଼ ଓ ବେକ କ୍ଷତବିକ୍ଷତ ହୋଇଥିଲା। ଦୀପିକା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। କିଛି ସମୟ ପରେ ସେ ଚେତା ହରେଇ ଦେଇଥିଲେ। ଦୀପିକାଙ୍କ ଏଭଳି ଅବସ୍ଥା ପରେ ଅଜିତ ରାତି ପ୍ରାୟ ୨ଟାରେ ଶ୍ୱଶୁର ପ୍ରଦୀପଙ୍କୁ ଫୋନ୍‌ କରିଥିଲେ। ଦୀପିକା ଗୁରୁତର ଥିବା କହି କ୍ୟାପିଟାଲ ହସ୍ପିଟାଲ ଡକାଇଥିଲେ। ମାତ୍ର ପ୍ରଦୀପ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର