ବାଟବଣା ବାର୍‌ହାକୁ ପିଟି ପିଟି ମାରିଦେଲେ

ଖଣ୍ଡଗିରି : ଶୁକ୍ରବାର ସକାଳେ ବାଟବଣା ହୋଇ ଗାଁ ଭିତରକୁ ପଶି ଆସିଥିବା ଏକ ବାର୍‌ହାକୁ ଗାଁ ଲୋକେ ପିଟିପିଟି ମାରି ଦେଇଛନ୍ତି। ଘଟଣାଟି ଘଟିଛି ଜଟଣୀ ଥାନା ଯାଁଳା ଫାଣ୍ଡି ତଥା ଭୁବନେଶ୍ୱର ନଗର ବନଖଣ୍ଡ ଅନ୍ତର୍ଗତ ଦେଉଳିଆପାଟଣା ଗାଁରେ। ବନବିଭାଗ ଖବର ପାଇ ଗାଁରେ ପହଞ୍ଚିଯିବାରୁ ବାର୍‌ହା ମାରିଥିବା ଲୋକେ ମୃତଦେହକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ। ତେଣୁ ମାଂସ ଖାଇବା ପାଇଁ ବାର୍‌ହା ମରାଯାଇଥିବା ଯୋଜନାଟି ଫସର ଫାଟି ଯାଇଥିଲା। ମୃତ ପୁରୁଷ ବାର୍‌ହାଟିର ଓଜନ ପ୍ରାୟ ୧ କ୍ୱିଣ୍ଟାଲ୍‌ ଓ ଦାନ୍ତ ଉଠିନଥିବାରୁ ତା’ର ବୟସ ପ୍ରାୟ ୫/୬ ବର୍ଷ ହେବ ବୋଲି କୁହାଯାଉଛି।

ଏବେ ଧାନଫସଲ ଖାଇବାକୁ ଜଙ୍ଗଲରୁ ବାର୍‌ହା ଦଳ ବିଲକୁ ପଶି ଆସୁଛନ୍ତି। ଗତକାଲି ରାତିରେ ସେମିତି ଏକ ଦଳ ଦେଉଳିଆପାଟଣା ଗାଁ ବିଲକୁ ଆସିଥିଲେ ଓ ଫେରିବାବେଳେ ବାଟବଣା ହୋଇ ଏକ ବାର୍‌ହା ଗାଁ ଭିତରକୁ ପଶି ଆସିଥିଲା। ଗାଁ ଦାଣ୍ଡରେ ବାର୍‌ହାକୁ ଦେଖି ଲୋକେ ତାକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାବାଡ଼ିରେ ପିଟିଥିଲେ। ଫଳରେ ଗାଁ ଭିତରେ ହିଁ ତା’ର ମୃତ୍ୟୁ ଘଟିଥିଲା। କିନ୍ତୁ ତାକୁ କାଟି ମାଂସ ଭାଗ କରିବାକୁ ଉଦ୍ୟମ ଚାଲିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ନଗର ବନଖଣ୍ଡ ରେଂଜର ବିନୋଦ ଆଚାର୍ଯ୍ୟ, ଫରେଷ୍ଟର ଲିଙ୍ଗରାଜ ରଥ ଓ ପ୍ରସନ୍ନ ପରିଡ଼ା ପ୍ରମୁଖ ଅଧିକାରୀମାନେ ଗାଁରେ ଚଢ଼ଉ କରିଥିଲେ। ଯାଁଳା ଫାଣ୍ଡି ଅଧିକାରୀ ମଧ୍ୟ ଦେଉଳିଆପାଟଣାରେ ପହଞ୍ଚିଥିଲେ। ପୁଲିସ ଓ ବନ ବିଭାଗ ଚଢ଼ଉ ଖବର ପାଇ ବାର୍‌ହା ମାରିଥିବା ଲୋକେ ମୃତଦେହକୁ ନେଇ ଗାଁ ମୁଣ୍ଡରେ ଥିବା ଏକ ଖାଲରେ ଫିଙ୍ଗି ଦେଇଥିଲେ। ପରେ ବନ ବିଭାଗର କର୍ମଚାରୀମାନେ ମୃତଦେହକୁ ପାଇଥିଲେ ଓ ଓୟୁଏଟି ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପୋତି ଦେଇଥିଲେ। ରେଂଜର ଶ୍ରୀ ଆଚାର୍ଯ୍ୟଙ୍କ କହିବା କଥା ଏ ନେଇ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତରୁ ଜଣାପଡ଼ିଲେ ବାର୍‌ହା ମାରିଥିବା ଲୋକଙ୍କୁ ଗିରଫ କରାଯିବ।

ସମ୍ବନ୍ଧିତ ଖବର