କୁଖ୍ୟାତ ହାଡ଼ିଆ ଗିରଫ, ଭୁଜାଲି ଓ ବାଇକ୍‌ ଜବତ

ମଦ ଦୋକାନ ସମ୍ମୁଖରେ ଯୁବକଙ୍କୁ ହତ୍ୟା ଘଟଣା

ଭୁବନେଶ୍ୱର: ପଳାସୁଣୀସ୍ଥିତ ଏକ ମଦ ଦୋକାନ ସମ୍ମୁଖରେ ସଞ୍ଜୟ ବେହେରା ଓରଫ ଧୋବା (୨୭) ନାମକ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ଆଜି ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ରସୁଲଗଡ଼ ଜିଜିପି କଲୋନି ଅଞ୍ଚଳର ହାଡ଼ିବନ୍ଧୁ ରାଉତରାୟ ଓରଫ ହାଡ଼ିଆ (୫୦)। ପୁଲିସ ତା’ଠାରୁ ଗୋଟିଏ ଭୁଜାଲି ଓ ବାଇକ୍‌ ଜବତ କରିଛି। ହାଡ଼ିଆ ଜଣେ ମଦ ମାଫିଅ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ହାଡ଼ିଆ ଚୋରାରେ ନିଶାଦ୍ରବ୍ୟ ବ୍ୟବସାୟ କରି ଆସୁଥିଲା। ସେଥିରୁ ସେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲା। ଏଥିରେ ତାକୁ ସହଯୋଗ କରୁଥିଲା ଧୋବା। ବ୍ୟବସାୟ ପାଇଁ ହାଡ଼ିଆ ଏକପ୍ରକାର ଧୋବା ଉପରେ ନିର୍ଭର କରୁଥିଲା। ତେବେ ଚୋର ମଦ ଓ ନିଶାଦ୍ରବ୍ୟ ବ୍ୟବସାୟକୁ ନେଇ ଗତ ଫେବ୍ରୁଆରିରେ ମଞ୍ଚେଶ୍ୱର ଥାନା ପୁଲିସ ଧୋବାକୁ ଗିରଫ କରିଥିଲା। ଧୋବା ଜେଲ୍‌ରୁ ଫେରିବା ପରେ ଆଉ ବ୍ୟବସାୟରେ ରହିବ ନାହିଁ ବୋଲି ସ୍ଥିର କରି ହାଡ଼ିଆଠାରୁ ଦୂରେଇ ଯାଇଥିଲା। ତେବେ ହାଡ଼ିଆର ବ୍ୟବସାୟରେ କ୍ଷତି ହେବାରୁ ହାଡ଼ିଆ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲା। ଗୁରୁବାର ଅପରାହ୍‌ଣରେ ଧୋବା ମଦ ଦୋକାନ ସମ୍ମୁଖରେ ନିଶାରେ ଥିବା ଜାଣିବା ପରେ ହାଡ଼ିଆ ସେଠାରେ ପହଞ୍ଚି ତା’କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲା। ଏନେଇ ମଞ୍ଚେଶ୍ୱର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତାସ୍ଥିତ ଏକ ଘରେ ଚଢ଼ଉ କରି ହାଡ଼ିଆକୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ହାଡ଼ିଆ ଜଣେ କୁଖ୍ୟାତ ଅପରାଧୀ। ତା’ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ହତ୍ୟା, ବୋମାମାଡ଼, ହଣାକଟା, ଚୋରା ନିଶାଦ୍ରବ୍ୟ କାରବାର ନେଇ ୧୦ରୁ ଊର୍ଧ୍ୱ ମାମଲା ରହିଛି। କିଛି ଦିନ ତଳେ ଜାଗାବାଡ଼ି ସମସ୍ୟାକୁ ନେଇ ହାଡ଼ିଆ ନିଜ ଭାଇ ଚିତ୍ତରଞ୍ଜନ ରାଉତରାୟଙ୍କ ଘର ଉପରେ ବୋମାମାଡ଼ କରିଥିଲା। ଖାଲି ସେତିକି ନୁହେଁ, ନିଜ ଭଉଣୀଙ୍କୁ ମଧ୍ୟ ହତ୍ୟା ପାଇଁ ଉଦ୍ୟମ କରିଥିଲା।

ସମ୍ବନ୍ଧିତ ଖବର