ଓଲା କ୍ୟାବ୍‌ରେ ଦୁଷ୍କର୍ମର ଶିକାର ହେଲେ ମହିଳା: ଚାଳକ ଏବଂ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ

ନୋଏଡ଼ା : ନୋଏଡ଼ାରେ ପୁଣି ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ନିଜ କାର୍ଯ୍ୟସ୍ଥଳରୁ ଘରକୁ ଫେରୁଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଅଭିଯୋଗ ହୋଇଛି । ଓଲା କ୍ୟାବ୍‌ ଚାଳକ ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ତାଙ୍କ ସାଥୀ ସହ ଜଙ୍ଗଲରେ ଏକା ଛାଡ଼ି ଦେଇଥିଲେ । ଚାଳକଙ୍କ ସାଥୀ ମହିଳାଙ୍କୁ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିବା ବେଳେ ନିଜର ଜୀବନ ବଞ୍ଚାଇ ସେ ସେଠାରୁ ଚାଲି ଆସି ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପଠାଇ ଥିବା ଜଣାପଡ଼ିଛି ।

Indiatimes.com

ସୂଚନା ମୁତାବକ, ନୋଏଡା ସେକ୍ଟର ୧୨୬ରେ ଏକ କଲ ସେଣ୍ଟରରେ କାମ କରୁଥିବା ମହିଳା ଜଣଙ୍କ ଘରକୁ ଯିବା ପାଇଁ ଓଲା ବୁକ୍‌ କରିଥିଲେ । ଗାଡ଼ି ପହଞ୍ଚିବା ପରେ ଗାଡ଼ି ମଧ୍ୟରେ ଚାଳକଙ୍କ ସମେତ ଆଉ ଜଣେ ମଧ୍ୟ ବସିଥିଲେ । ପୀଡ଼ିତା ଜଣଙ୍କ ଏହା ଦେଖି ଯିବା ପାଇଁ ମନା କରିବାରୁ ଯୁବକ ଜଣଙ୍କ ଆଗ ଛକରେ ଓଲ୍ହାଇଯିବେ ବୋଲି ଚାଳକ କହିଥିଲେ । ଏହା ଜାଣି ପୀଡ଼ିତା ଜଣଙ୍କ ଗାଡ଼ିରେ ବସିଥିଲେ । ଗାଡ଼ି କିଛି ବାଟ ଯିବା ପରେ ଚାଳକ ଏବଂ ତାଙ୍କ ସାଥୀ ପୀଡ଼ିତାଙ୍କୁ ନିଶା ଦେବା ସହ ଏକ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ଓଲା ଚାଳକ ଦୁଇ ଜଣଙ୍କୁ ଏକା ଛାଡ଼ି ପଳାଇଥିଲେ । ଚାଳକଙ୍କ ସାଥୀ ପୀଡ଼ିତାଙ୍କୁ ଜଙ୍ଗଲ ମଧ୍ୟକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ପୀଡ଼ିତା ଜଣଙ୍କ ନିଜ ଜୀବନ ବଞ୍ଚାଇ ସେଠାରୁ ଖସି ଚାଲି ଆସି ପୁଲିସରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର