ଲିଭ୍‌-ଇନ୍‌ ରିଲେସନ୍‌ରେ ରହୁଥିବା ପୁରୁଷ ବନ୍ଧୁଙ୍କ ହତ୍ୟା କଲେ ଯୁବତୀ

 

ବେଙ୍ଗାଲୁର:ବେଙ୍ଗାଲୁରରେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିବା ଜଣେ ୩୦ ବର୍ଷୀୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କୁ ତଣ୍ଟି ଚିପିହତ୍ୟା କରିବା ପରେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି। ଅତ୍ୟାଧିକ ମଦ୍ୟପନ କରି ତାଙ୍କ ପୁରୁଷ ବନ୍ଧୁ ପଡ଼ିଯାଇ ମୃତ୍ୟୁବରଣ କରିଥିବା ଯୁବତୀ ଜଣକ ପୁଲିସକୁ କହିଥିଲେ ମଧ୍ୟ ତଦନ୍ତ ସମୟରେ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ ଜାଣିପାରିଛି। ଏହି ଘଟଣାରେ ବେଙ୍ଗାଲୁର ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବେଙ୍ଗାଲୁରର ଗଣପତିପୁରା ଅଞ୍ଚଳରେ ୨୬ ବର୍ଷୀୟ ମୁଥୁରାଜ ତାଙ୍କ ୩୦ ବର୍ଷୀୟା ବାନ୍ଧବୀ ସୁନନ୍ଦା ବାଇଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ।ସୁନନ୍ଦା ଏକ ଘରୋଇ ବିଦ୍ୟାଳୟରେ କେୟାର ଟେକ୍‌ର ଭାବେ କାର୍ଯ୍ୟ କରୁଥିବା ବେଳେ ମୁଥୁରାଜ ଏକ ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି। ଉଭୟ ପ୍ରାୟ ୧ ବର୍ଷ ହେବ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। ତେବେ ଗତ ଅକ୍ଟୋବର ୩୦ ତାରିଖରେ ମୁଥୁରାଜଙ୍କ ମୃତଦେହ ଗଣପତିପୁରା ୬ଷ୍ଠ ମୁଖ୍ୟ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୁଥୁରାଜଙ୍କ ମୃତ୍ୟୁ ପରେ ଯେତେବେଳେ ପୁଲିସ ପ୍ରଥମେ ସୁନନ୍ଦାଙ୍କୁ ପଚରାଉଚରା କରିଥିଲା, ସେତେବେ ସେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ମୁଥୁରାଜ ଅତ୍ୟାଧିକ ମଧ୍ୟପାନ କରିଥିଲା। ତେଣୁ ମଦପିଇ ପଡ଼ିଯିବାରୁ ତାର ମୃତ୍ୟୁ ଘଟିଥିଲା ବୋଲି କହିଥିଲା।
ପୁଲିସ ମଥୁରାଜର ମୃତଦେହ ବ୍ୟବଛେଦ ପାଇଁ ପଠାଇଥିଲା। ବ୍ୟବଛେଦ ରିପୋର୍ଟରେ ମଥୁରାଜଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ପୁଲିସ ସନ୍ଦେହ କରି ସୁନନ୍ଦାର ମୋବାଇଳ ଫୋନ୍‍ କଲ ରେକର୍ଡ ବାହାର କରିବା ସହିତ ମୁଥୁରାଜ ଯେଉଁଠାରେ ମରି ପଡ଼ିଥିଲେ ସେହି ଅଞ୍ଚଳର ସିସିଟିଭି ଫୁଟେଜ୍‌୍‌ ସଂଗ୍ରହ କରିଥିଲା। ଏଥିରୁ ଜଣାପଡ଼ିଥିଲା ଯେ ସୁନନ୍ଦା ମୋବାଇଲରୁ ହିଁ ଶେଷଥର ପାଇଁ ମୁଥୁରାଜଙ୍କ ମୋବାଇଲକୁ ଫୋନ୍‌ ଯାଇଥିଲା। ସେହିପରି ସିସିଟିଭି ଫୁଟେଜ୍‌ରେ ସୁନନ୍ଦା ମୁଥୁରାଜଙ୍କ ମୃତଦେହକୁ ଏକ ବେଡସିଟ୍‌ରେ ଗୁଡେଇ ନେଉଥିବା ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ଦ୍ୱିତୀୟ ବାର ସୁନନ୍ଦଙ୍କୁ ପଚରାଉଚରା କରିବାରୁ ସେ ସବୁ କଥା ମାନି ଯାଇଥିଲେ।
ପୁଲିସ କହିଛି ଯେ ସୁନନ୍ଦା ଏକ ନାଇଲନ ରଶିରେ ମୁଥୁରାଜଙ୍କ ବେକକୁ ଚାପି ହତ୍ୟା କରିଥିଲା। ତା ପରେ ତାଙ୍କ ଶବକୁ ନେଇ ଏକ ଡ୍ରେନ୍‌ ପାଖରେ ପକାଇ ଦେଇ ଏହାକୁ ଏକ ଆକସ୍ମିକ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଚଷ୍ଟା କରିଥିଲା। ସୁନନ୍ଦା ସ୍ୱୀକାର କରିଛି ଯେ ସେ ଓ ମୁଥୁରାଜ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ ମଧ୍ୟ ଅନ୍ୟ ପୁରୁଷଙ୍କ ସହିତ ସୁନନ୍ଦାଙ୍କର ସମ୍ପର୍କ ଅଛି ବୋଲି ସନ୍ଦେହ କରି ମୁଥୁରାଜ ତାଙ୍କୁ ଗାଳି ଦେବା ସହିତ ମାଡ଼ ମଧ୍ୟ ମାରୁଥିଲା। ଏଥିରେ ଅତିଷ୍ଠ ହୋଇ ସୁନନ୍ଦା ମୁଥୁରାଜଙ୍କୁ ହତା କରିବ ବୋଲି ନିଷ୍ପତ୍ତି ନେଇ ଏହି କାଣ୍ଡ କରିଥିଲା। ପରେ ମୁଥୁରାଜଙ୍କ ଶବକୁ ନିଜ ଘର ଠାରୁ ୫ଶହ ମିଟର ଦୂରକୁ ନେଇ ଫିଙ୍ଗି ଦେଇଥିଲା ବୋଲି ପୁଲିସ କହିଛି।

 

ସମ୍ବନ୍ଧିତ ଖବର