ପୁତୁରାର ଗୁପ୍ତାଙ୍ଗ କାଟିଦେଲେ ଖୁଡ଼ୀ

କାନପୁର:  ଦୁଷ୍କର୍ମ ଉଦ୍ୟମ କରିବାରୁ ଜଣେ ୨୭ ବର୍ଷୀୟ ମହିଳା ତାଙ୍କ ସମ୍ପର୍କୀୟ ପୁତୁରାଙ୍କ ଯୌନାଙ୍ଗ କାଟି ଦେବା ପରି ଏକ ଲୋମଟାଙ୍ଗୁରା ଘଟଣା ଏବେ ସାମନାକୁ ଆସିଛି। ଏ ନେଇ ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଗୁରୁତର ଅବସ୍ଥାରେ ଯୁବକଙ୍କର ଅସ୍ତ୍ରୋପଚାର କରାଯିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର କାନପୁୁର ଜିଲ୍ଲାର ବସ୍ରେଚର ଅଞ୍ଚଳରେ  ଜଣେ ୨୭ ବର୍ଷୀୟ ମହିଳା ନିଜ ସ୍ୱାମୀ ଓ ଶାଶୁଶ୍ୱଶୁରଙ୍କ ସହିତ ରୁହନ୍ତି। ପ୍ରାୟ ୧ ବର୍ଷ ହେବ  ତାଙ୍କ ସ୍ୱାମୀଙ୍କ ସମ୍ପର୍କୀୟ ପୁତୁରା ଖରାପ ଉଦ୍ଦେଶ୍ୟ ରଖିି ଏହି ମହିଳାଙ୍କୁ ପିଛା କରୁଥିଲେ। ଏପରିକି  ଥରେ ଅଧେ ସୁଯୋଗ ଦେଖି ପ୍ରେମ ନିବେଦନ ମଧ୍ୟ କରିଥିଲେ। ମାତ୍ର ମହିଳାଜଣକ ଏହାକୁ ଏଡାଇ ଯାଇଥିଲେ। ପାରିବାରିକ ସମ୍ପର୍କ ହେତୁ କଥା ପ୍ରଘଟ ହେଲେ ଲୋକ ଲଜ୍ଜା ବଢ଼ିବ ଭାବି ମହିଳାଜଣକ  ଯୁବକଙ୍କ ଉଦ୍ଦେଶ୍ୟ ଜାଣୁଥିଲେ ମଧ୍ୟ ନିରବ ରହୁଥିଲେ। ତେବେ ଗତ ମଙ୍ଗଳବାର ରାତିରେ ମହିଳା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କ ସମ୍ପର୍କୀୟ ପୁତୁରା ମନୋଜ(୨୫ ବର୍ଷ)  ଘର ଭିତରକୁ ଯୋର ଜବରଦସ୍ତ ପଶି ଆସିଥିଲେ। ପରେ ମନୋଜ  ହତ୍ୟା ଧମକ ଦେଇ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ପାଖରେ କେହି ନ ଥିବାରୁ ନିଜକୁ ରକ୍ଷା କରିବା ପାଇଁ ରୋଷେଇ ଘରେ ଥିବା ଏକ ପରିବା କଟା ଛୁରିରେ ମହିଳାଜଣକ ମନୋଜଙ୍କ ଯୌନାଙ୍ଗକୁ କାଟି ଦେଇଥିଲେ। ମନୋଜ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଘରେ ପଡ଼ିଥିବାବେଳେ ମହିଳାଜଣକ ଏ ସଂକ୍ରାନ୍ତରେ ୧୦୦ ନମ୍ବରକୁ ଡାଏଲ କରି ପୁଲିସକୁ ସୂଚନା ଦେଇଥିଲେ। ଏ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମନୋଜକୁ  ଜିଲ୍ଲା ମୁଖ୍ୟ ଚିକିସାଳୟରେ ନେଇ ଭର୍ତ୍ତି କରିଛନ୍ତି।ତେବେ ବୁଧବାର ଦିନ ମହିଳାଜଣକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଳା ରୁଜୁ କରି  ମହିଳାଙ୍କର ଡାକ୍ତରୀ ମାଇନା କରିଛି। ଅଭିଯୁକ୍ତ ମନୋଜକୁ ପୁଲିସ ଜଗି ରହିଛନ୍ତି। ସେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ମହିଳାଜଣକ କହିଛନ୍ତି ଯେ ନିଜକୁ ରକ୍ଷା କରିବା ପାଇଁ ସେ ମନୋଜକୁ ଏକ ପରିବା କଟା ଛୁରିରେ ଆକ୍ରମଣ କରିଥିଲେ। ମାତ୍ର ମନୋଜ  ତାଙ୍କୁ କାବୁ କରିବାକୁ ଉଦ୍ୟମ କରିବାରୁ ସେ ସୁଯୋଗ ପାଇ ତାଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର