ଗଣଦୁଷ୍କର୍ମ ପରେ ମହିଳାଙ୍କୁ ମନ୍ଦିରରେ ଜିଅନ୍ତା ଜାଳିଦେଲେ ୫ ଅଭିଯୁକ୍ତ

ବରେଲି: ଉତ୍ତର ପ୍ରଦେଶର ସମ୍ଭଳ ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ପାଞ୍ଚଜଣ ବ୍ୟକ୍ତି ଜଣେ ୩୫ ବର୍ଷୀୟ ମହିଳାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ମନ୍ଦିରର ଯଜ୍ଞଶାଳାରେ ଜିଅନ୍ତା ପୋଡ଼ି ଦେଇଛନ୍ତି। ତାଙ୍କ ସ୍ୱାମୀଙ୍କ କହିବା ଅନୁସାରେ, ପୋଡ଼ା ଯିବାର କିଛି ସମୟ ଆଗରୁ ପତ୍ନୀ ଉତ୍ତର ପ୍ରଦେଶ ପୁଲିସର ଡାଏଲ୍‌ ୧୦୦ ସର୍ଭିସ୍‌କୁ ଫୋନ୍‌ କରିଥିଲେ, କିନ୍ତୁ କେହି ଫୋନ୍‌ ଗ୍ରହଣ କରି ନ ଥିଲେ।

ଏ ଜଘନ୍ୟ ଅପରାଧ ଘଟିଛି ରାଜପୁରା ଥାନା ଅଧୀନ ଏକ ଗାଁ’ରେ ଶନିବାର ପ୍ରତ୍ୟୁଷରେ। ସେ ମହିଳାଙ୍କର ଦୁଇଟି ପିଲା ଅଛନ୍ତି। ତାଙ୍କ ସ୍ୱାମୀ ଗାଜିଆବାଦରେ ଶ୍ରମିକ କାମ କରନ୍ତି।

ପୁଲିସ କହିବା ଅନୁସାରେ, ପୀଡ଼ିତା ଶୋଇଥିବା ବେଳେ ଶନିବାର ରାତି ସାଢ଼େ ଦୁଇଟା ବେଳେ ଆକ୍ରମଣକାରୀମାନେ ଘରେ ଧଷେଇ ପଶି ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ବାହାରେ ପ୍ରବଳ ବର୍ଷା ବର୍ଷୁଥିଲା। ଘରେ କିରାସିନି ଡିବିଟିଏ ଜଳୁଥିଲା। ଘଟଣା ପରେ ମହିଳା ସମଗ୍ର ଘଟଣା ତାଙ୍କ ସମ୍ପର୍କୀୟ ଭାଇଙ୍କୁ କହିଥିଲେ। କାରଣ ସେତେବେଳେ ସ୍ୱାମୀ କିଂବା ତାଙ୍କ ଭାଇଙ୍କ ଫୋନ୍‌ ଲାଗି ନ ଥିଲା। ସମ୍ପର୍କୀୟ ଭାଇ ପୁଲିସ ଓ ପରିବାର ଅନ୍ୟ ସଦସ୍ୟମାନଙ୍କୁ କହିବା ଆଗରୁ ଅଭିଯୁକ୍ତମାନେ ପୁଣି ଆସି ମହିଳାଙ୍କୁ ଟାଣି ନେଇ ନିକଟରେ ଥିବା ଏକ ମନ୍ଦିର ମଧ୍ୟସ୍ଥ ଯଜ୍ଞଶାଳାରେ ଜିଅନ୍ତା ପୋଡ଼ି ପକାଇଲେ।

ପାଞ୍ଚ ଅଭିଯୁକ୍ତ ସେହି ଗ୍ରାମର ବାସିନ୍ଦା ଏବଂ କିଛି ଦିନ ହେବ ସେ ମହିଳାଙ୍କୁ ସେମାନେ ହଇରାଣ ହରକତ କରୁଥିଲେ।

ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ପ୍ରମାଣ ହିସାବରେ ପୁଲିସ ସେ ମହିଳା ତାଙ୍କ ସମ୍ପର୍କୀୟ ଭାଇଙ୍କ ପାଖକୁ କରିଥିବା ଫୋନ୍‌ର ଅଡିଓ କ୍ଲିପ୍‌ ଉଦ୍ଧାର କରିଛି ଯେଉଁଥିରେ ମହିଳା ୫ ଅଭିଯୁକ୍ତଙ୍କ ନାଁ କହିଛନ୍ତି।

ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।

ସମ୍ବନ୍ଧିତ ଖବର