ପୁଅ-ଝିଅକୁ ହତ୍ୟା ଉଦ୍ୟମ କରି ସ୍ତ୍ରୀ ଆତ୍ମହତ୍ୟା କରିଥିବା କଥା ପୁଲିସକୁ କହିଥିଲା ସ୍ୱାମୀ, ମାସକ ପରେ କୋମାରୁ ବାହାରି ଶାଶୁଘର ଲୋକଙ୍କ ରାଜ୍‌ ଖୋଲିଲା ବୋହୂ

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳା ପ୍ରାୟ ମାସେ ପର୍ଯ୍ୟନ୍ତ କୋମାରେ ରହିବା ପରେ ଏବେ ସୁସ୍ଥ ହୋଇଛନ୍ତି । ନିଜର ଏବଂ ନିଜ ପୁଅ-ଝିଅଙ୍କ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ସ୍ୱାମୀ ମାସେ ପୂର୍ବରୁ ପୁଲିସକୁ ଜଣାଇଥିବା ବେଳେ ଏବେ କୋମାରୁ ବାହାରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମହିଳା । ନଭେମ୍ବର ୧୭ରୁ ସେ କୋମାରେ ଥିବା ବେଳେ ରବିବାର ସୁସ୍ଥ ହୋଇଥିଲେ । ଯାହା ପରେ ସେ ନିଜ ସ୍ୱାମୀ, ଦିଅର ଏବଂ ଶାଶୁ-ଶଶୁରଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ମାମଲାର ସମାଧାନ ହୋଇ ଯାଇଥିବା ଭାବି ପୁଲିସ ଶାନ୍ତିରେ ବସିଥିବା ବେଳେ ଏବେ ପୀଡ଼ିତାଙ୍କ ବୟାନ ମାମଲାକୁ ନୂଆ ମୋଡ଼ ଦେଇଛି । ସୁସ୍ଥ ହେବା ପରେ ପୀଡ଼ିତା ପୁଲିସ ଆଗରେ ନିଜ ବୟାନ ରଖିଥିଲେ ।

ତାଙ୍କ କହିବା ଅନୁଯାୟୀ, ନଭେମ୍ବର ୧୬ ରାତି ୧୨ଟାରେ ମୋ ସ୍ୱାମୀ ଘରକୁ ଆସି ଝଗଡ଼ା ଆରମ୍ଭ କରି ଦେଇଥିଲେ । ଭୋର ୪ଟା ପର୍ଯ୍ୟନ୍ତ ସେ ମୋ ସହ ଝଗଡ଼ା କରିବା ସହ ମୋତେ ମାଡ଼ ମାରିଥିଲେ । ପରେ ମୁଁ ମୋ ପୁଅ-ଝିଅକୁ ନେଇ ଅନ୍ୟ ରୁମ୍‌କୁ ଶୋଇବାକୁ ଚାଲି ଯାଇଥିଲି । ସକାଳ ୭ଟା ସମୟରେ ମୋ ନିଦ ଭାଙ୍ଗିବା ବେଳକୁ ମୋ ସ୍ୱାମୀ ଏବଂ ଦିଅର ମୋ ପୁଅ ଝିଅଙ୍କ ଗଳା କାଟୁଥିବା ଦେଖିଥିଲି । ବିରୋଧ କରିବାରୁ ସେ ପ୍ରଥମେ ମୋ ଆଙ୍ଗଠି କାଟିବା ସହ ମୋ ଗଳା ମଧ୍ୟ କାଟି ଦେଇଥିଲେ । ଏ ସବୁ ଜିନିଷ ଶାଶୁ-ଶଶୁରଙ୍କ ଆଗରେ ହେଉଥିଲେ ମଧ୍ୟ ସେମାନେ କିଛି କହି ନ ଥିଲେ ।

ଏହି ଘଟଣା ପରେ ପୀଡ଼ିତାଙ୍କ ୩ ବର୍ଷୀୟ ଝିଅ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ପୀଡ଼ିତା ଏବଂ ତାଙ୍କ ପୁଅ ନୂଆ ଜୀବନ ପାଇଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ଏ ନେଇ ଶାଶୁଘର ଲୋକଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ କରିଥିବା ବେଳେ ଏବେ ପୀଡ଼ିତାଙ୍କ ବୟାନ ମାମଲାକୁ ଆହୁରି ଗମ୍ଭୀର କରିଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବା ସହ କଡ଼ା ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର