୨୨ ବର୍ଷିୟା ବିବାହିତା ମହିଳାଙ୍କୁ ଗାଡ଼ି ଭିତରୁ ଘୋଷାଡ଼ି ଆଣି ତାଙ୍କ ସ୍ୱାମୀ ଓ ଦିଅର ସମ୍ମୁଖରେ ଦୁଷ୍କର୍ମ; ୪ ଗିରଫ

୧୦ ଦିନ ମଧ୍ୟରେ ହରିୟାଣାରେ ଏହା ଦଶମ ଦୁଷ୍କର୍ମ ଘଟଣା

ଗୁରୁଗାଁଓ (ହରିୟାଣା): ହରିୟାଣାର ଗୁରୁଗାଁଓ ଅଞ୍ଚଳରେ ଘଟିଯାଇଛି ଏକ ଲୋମଟାଙ୍କୁରା ଅପରାଧ। ଜନୈକା ୨୨ ବର୍ଷିୟା ବିବାହିତା ମହିଳାଙ୍କୁ ଦୁର୍ବୃତ୍ତମାନେ ଗାଡ଼ି ଭିତରୁ ଘୋଷାଡ଼ି ଆଣି ତାଙ୍କ ସ୍ୱାମୀ ଓ ଦିଅର ସମ୍ମୁଖରେ ଦୁଷ୍କର୍ମ କରିଛନ୍ତି। ଏହି ଘଟଣା ଏବେ ସମଗ୍ର ଗୁରଗାଁଓ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ହରିୟାଣା ପୋଲିସ୍‌ ଏହି ଘଟଣାରେ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାରେ ସଂପୃକ୍ତ ଚାରି ଅପରାଧୀଙ୍କୁ ଗିରଫ କରିଛି।

ଗୁରଗାଁଓର ଅତିରିକ୍ତ ପୋଲିସ କମିଶନର ମନୀଷ ସେହେଗଲ୍‌ ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ ରବିବାର ରାତିରେ ଏକ ପାରିବାରିକ ଉତ୍ସବରେ ଯୋଗ ଦେବାପରେ ପୀଡ଼ିତା ମହିଳା ଜଣକ ତାଙ୍କ ସ୍ୱାମୀ ଓ ଦିଅରଙ୍କ ସହ ଗୋଟିଏ ଗାଡ଼ିରେ ନିଜ ଘରକୁ ଫେରୁଥିଲେ। ତେବେ, ଫେରିବା ବାଟରେ ମହିଳାଙ୍କ ସ୍ୱାମୀ ପରିସ୍ରା କରିବା ପାଇଁ ଗାଡ଼ିଟିକୁ ଗୁରଗାଁଓର ସେକ୍ଟର ୫୬ ଅଞ୍ଚଳରେ ଥିବା ପାର୍କ ଟାଓ୍ଵାର ନିକଟରେ ଅଟକାଇ ଥିଲେ। ମହିଳାଙ୍କ ସ୍ୱାମୀ ଗାଡ଼ିରୁ ଓହ୍ଳାଇ ଯାଇ ଅଳ୍ପ ଦୂରରେ ପରିସ୍ରା କରୁଥିବା ବେଳେ ଗାଡ଼ି ଭିତରେ ମହିଳା ଓ ତାଙ୍କ ଦିଅର ବସିଥିଲେ। ଠିକ୍‌ ଏହି ସମୟରେ ତାଙ୍କ ଗାଡ଼ି ନିକଟରେ ଆଉ ଦୁଇଟି ଗାଡ଼ି ଆସି ଅଟକି ଥିଲା। ସେ ଦୁଇଟି ଗାଡ଼ି ମଧ୍ୟରୁ ଚାରି ଜଣ ଯୁବକ ବାହାରିଆସି ସେମାନଙ୍କ ଗାଡ଼ି ନିକଟକୁ ଆସିଥିଲେ ଓ ଗାଡ଼ିକୁ କାହିଁକି ରାସ୍ତା ଉପରେ ଅଟକାଇଛ ବୋଲି ପଚାରିବା ସହ ମହିଳା ଜଣଙ୍କୁ ଗାଡ଼ି ଭିତରୁ ପଦାକୁ ବଳପୂର୍ବକ ଟାଣି ଆଣିଥିଲେ। ପରେ ଏମାନଙ୍କ ମଧ୍ୟରୁ ଜଣେ ଯୁବକ ମହିଳା ଜଣଙ୍କୁ ନିକଟସ୍ଥ ଏକ ଘାସ ପଡ଼ିଆ ଉପରକୁ ଟାଣିନେଇ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଯୁବକମାନେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଦିଅର ବେକରେ ବନ୍ଧୁକ ଲଗାଇ ନିରବ ରହିବାକୁ ଧମକ ଦେଇଥିଲେ।

http://pressks.com

ଦୁଷ୍କର୍ମ ଘଟାଇ ସାରି ସେମାନେ ଘଟଣାସ୍ଥଳରୁ ଫେରାର୍‌ ହେବା ପୂର୍ବରୁ ଧମକ ଦେଇ କହିଥିଲେ ଯେ ଯଦି ଘଟଣା ସଂପର୍କରେ ସେମାନେ ପୋଲିସ୍‌ରେ ଅଭିଯୋଗ କରନ୍ତି, ତେବେ ସେମାନେ ସମସ୍ତଙ୍କୁ ହତ୍ୟା କରିବେ। ତେବେ ସୌଭାଗ୍ୟ ବଶତଃ ପୀଡ଼ିତାଙ୍କ ସ୍ୱାମୀ ଦୁର୍ବୃତ୍ତମାନେ ଆଣିଥିବା ଦୁଇଟି ଗାଡ଼ି ମଧ୍ୟରୁ ଗୋଟିଏ ଗାଡ଼ିର ନମ୍ବରକୁ ମନେ ରଖି ଦେଇଥିଲେ। ପରେ ମହିଳାଙ୍କ ସ୍ୱାମୀ ଘଟଣା ସଂପର୍କରେ ପୋଲିସ୍‌ରେ ଅଭିଯୋଗ କରିବା ପରେ ପୋଲିସ୍‌ ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ଚାରି ଅପରାଧୀଙ୍କୁ ଗୁରଗାଓଁ ନିକଟବର୍ତ୍ତୀ ଜୋହଲକା ଗ୍ରାମରୁ ଗିରଫ କରିଛି।

ହରିୟାଣାରେ ଏବେ ଦୁଷ୍କର୍ମ ଘଟଣା ମାତ୍ରାତିରିକ୍ତ ବୃଦ୍ଧି ପାଇଥିବାରୁ ଏହା ପୋଲିସ୍‌ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ଦଶ ଦିନ ମଧ୍ୟରେ ହରିୟାଣାରେ ଏହା ଦଶମ ଦୁଷ୍କର୍ମ ଘଟଣା ଥିବା ପୋଲିସ୍‌ ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର