ଫ୍ଲାଟ୍‌ ବିକିବାକୁ କହି ୩୦ ଲକ୍ଷ ଟଙ୍କା ଠକି ନେଲେ ବୁର୍‌ଖା ପିନ୍ଧା ମହିଳା

ମୁମ୍ବାଇ: ଜରୁରୀ ଆବଶ୍ୟକତା ଥିବାରୁ ନିଜର ଫ୍ଲାଟ୍‌ ବିକ୍ରୟ କରିବାକୁ କହି ଜଣେ ୩୭ ବର୍ଷିୟ ବ୍ୟକ୍ତିଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ଜଣେ ବୁର୍ଖା ପିନ୍ଧା ମହିଳା। ଉଭାନ ହୋଇ ଯାଇଥିବା ବୁର୍ଖା ପିନ୍ଧା ମହିଳା ଏବଂ ତାଙ୍କର ତିନି ସହଯୋଗୀଙ୍କୁ ପୁଲିସବାଲା ଖୋଜୁଛନ୍ତି।

ଗୋଙ୍ଗରିର ଖାଡ଼ାକ୍‌ଠାରେ ନିଜର ଯୌଥ ପରିବାର ସହ ଏକ ଓ୍ଵାନ୍‌-ରୁମ୍‌-କିଚେନ୍‌ ଫ୍ଲାଟ୍‌ରେ ରହୁଥିଲେ ପୀଡ଼ିତ ଅନ୍‌ଓ୍ଵାର୍‌ ଶେଖ୍‌। ସୁବିଧା ପାଇଁ ସେ ଗୋଟିଏ ୧ବିଏଚ୍‌କେ ଫ୍ଲାଟ୍‌ ଖୋଜୁଥିଲେ। ସେଥିପାଇଁ ସେ ୪୦ ବର୍ଷୀୟ ରିଅଲ୍‌ ଇଷ୍ଟେଟ୍‌ ଏଜେଣ୍ଟ୍‌ କାଦର ଶେଖ୍‌ ଏବଂ ସାଜିଦ୍‌ ଅନ୍‌ସାରୀଙ୍କୁ ଭେଟିଥିଲେ। ନଭେମ୍ବର ୬ ତାରିଖ ଦିନ ସେମାନେ ତାଙ୍କୁ ଡୋଙ୍ଗରି ଠାରେ ଥିବା ଅନ୍‌ସାରି ହାଇଟ୍‌ସ୍‌ର ୧୧ ତାଲାରେ ଥିବା ଏକ ଫ୍ଲାଟ୍‌ ଦେଖାଇ ଥିଲେ। ୪୫୦ ବର୍ଗ ଫୁଟ୍‌ର ଫ୍ଲାଟ୍‌ ପାଇଁ ସେମାନେ ୬୫ ଲକ୍ଷ ଟଙ୍କା ଦାମ ସ୍ଥିର କରିଥିଲେ। କିନ୍ତୁ ଏତେ ଗୁଡ଼ାଏ ଟଙ୍କା ଦେବାକୁ ସେ ସମର୍ଥ ନୁହନ୍ତି କହିବା ପରେ ସେମାନେ ଏହାର ମୂଲଚାଲ କରିବାକୁ କହିଥିଲେ।

ଦୁଇ ଦିନ ପରେ ଦୁହେଁ ଅନ୍‌ଓ୍ଵାରଙ୍କୁ ଭେଟି କହିଲେ ଯେ ସବିନା କୟୁମ୍‌ ନାମ୍ନୀ ସେ ଫ୍ଲାଟ୍‌ର ମାଲିକାଣୀ ୪୫ ଲକ୍ଷ ଟଙ୍କାରେ ଫ୍ଲାଟ୍‌ଟି ବିକ୍ରୟ କରିବାକୁ ରାଜି ହୋଇଛନ୍ତି। ଏହା ଏକ ଅଭାବୀ ବିକ୍ରି ବୋଲି ଦୁହେଁ ଅନ୍‌ଓ୍ଵାରଙ୍କୁ ବୁଝାଇ ଦେଇ କହିଥିଲେ କି, ଦକ୍ଷିଣ ମୁମ୍ବାଇରେ ଫ୍ଲାଟ୍‌ଟିଏ କିଣିବାର ସୁଯୋଗ ହାତଛଡ଼ା କରିବା ଅନୁଚିତ। ବର୍ତ୍ତମାନ ୩୦ ଲକ୍ଷ ଟଙ୍କା ଦେଇ ଦିଅ ବାକି ୧୫ ଲକ୍ଷ କାଗଜପତ୍ର ବେଳେ ଦେଇ ଦେବ ବୋଲି ସାଜିଦ୍‌ ଅନ୍‌ଓ୍ଵାର୍‌ଙ୍କୁ କହିଥିଲେ।

Image Courtesy of TOI

ଅନ୍‌ଓ୍ଵାର ଅଗ୍ରୀମ ଭଳି ତାଙ୍କୁ ୨ ଲକ୍ଷ ଟଙ୍କା ଦେଲେ ଏବଂ ତହିଁ ଆର ଦିନ ଆଉ ୨୮ ଲକ୍ଷ ଟଙ୍କା ଦେଇଦେଲେ। କୟୁମ୍‌ ଭେଟିବାକୁ ଚାହୁଁଛି କହି ସାଜିଦ୍‌ ଅନ୍‌ଓ୍ଵାର୍‌କୁ ତାଙ୍କ ଘରକୁ ଡକାଇ ଥିଲେ। ଡୋଙ୍ଗରିର ଜାକାରିଆ ମସ୍‌ଜିଦ୍‌ ନିକଟରେ ଥିବା ସାଜିଦ୍‌ଙ୍କ ଘରକୁ ଅନ୍‌ଓ୍ଵାର୍‌ ତାଙ୍କର ବନ୍ଧୁ ଏବଂ ବାପାଙ୍କ ସହ ଯାଇଥିଲେ। ବୁର୍‌ଖା ପିନ୍ଧିଥିବା କୟୁମ୍‌ଙ୍କ ସହ ସାଜିଦ ପରିଚୟ କରାଇ ଦେଇଥିଲେ। ସେମାନେ ଟଙ୍କା ଗଣି କୟୁମ୍‌ଙ୍କ ହାତକୁ ବଢ଼ାଇ ଦେଇଥିଲେ।

ତାଙ୍କୁ ଚିହ୍ନିବାକୁ ମୁହଁରୁ ବୁର୍‌ଖା ଟେକିବାକୁ ଆମେ ତାଙ୍କୁ ଅନୁରୋଧ କରିଥିଲୁ। କିନ୍ତୁ ସେ ମନା କରି ଦେଇଥିଲେ। ଏତିକିବେଳେ ସାଜିଦ୍‌ର ପୁଅ ଇଥେସାମ୍‌ କହିଥିଲା କି, ନ ହେଲା ନାହିଁ ଆମେ ଫ୍ଲାଟ୍‌ ବିକ୍ରି କରିବାକୁ ଆଉ ଜଣେ ଗ୍ରାହକ ପାଇ ଯାଇଛୁ।

ତା’ପରେ ସେମାନେ କିଛି କାଗଜରେ ଅନ୍‌ଓ୍ଵାର୍‌ଙ୍କ ଦସ୍ତଖତ ନେଇଥିଲେ। ଦୁଇ ତିନି ଦିନ ମଧ୍ୟରେ ଏଗ୍ରିମେଣ୍ଟ୍‌ ଏବଂ ଅନ୍ୟାନ୍ୟ କାଗଜପତ୍ର ଦେଇ ଦେବେ ବୋଲି ସେମାନେ କହିଥିଲେ।

ପରେ ତାଙ୍କର ସନ୍ଦେହ ହୋଇଥିଲା। ଅନ୍‌ଓ୍ଵାର୍‌ ଏବଂ ତାଙ୍କ ବନ୍ଧୁମାନେ ଯାଇ ଦେଖିଲେ ସାଜିଦ୍‌ଙ୍କ ପରିବାର ଭଡ଼ାରେ ରହୁଥିବା ଫ୍ଲାଟ୍‌ ଛାଡ଼ି ଚାଲି ଯାଇଛନ୍ତି। ତା’ପରେ ସେମାନେ ଅନ୍‌ସାରି ହାଇଟ୍‌ସ୍‌ ଯାଇ ସେଠାକାର ବାସିନ୍ଦାଙ୍କୁ ଭେଟି ଥିଲେ। ସେମାନେ କହିଲେ କି, ସେ ଫ୍ଲାଟ୍‌ ହେଉଛି ହମିଦ୍‌ ଶେଖ୍‌ଙ୍କର। ହମିଦ୍‌ ତୀର୍ଥ କରିବାକୁ ବରେଲି ଯାଇଛନ୍ତି। ପଡ଼ୋଶୀମାନେ କହିଲେ କି, ହମିଦ୍‌ ଫ୍ଲାଟ୍‌ ବିକ୍ରୟ କରିବାକୁ ଚାହୁଁ ଥିଲେ। ସେଥିପାଇଁ ସେ ଇଷ୍ଟେଟ୍‌ ଏଜେଣ୍ଟ୍‌ ମନ୍‌ସୂର୍‌ ଚାନ୍ଦିଓ୍ଵାଲାଙ୍କୁ ଚାବି ଦେଇଥିଲେ।

ପୁଲିସ ଜାଣିବାକୁ ପାଇଛି ଯେ, ଜଣେ ଗରାଖଙ୍କୁ ଫ୍ଲାଟ୍‌ ଦେଖାଇବା ବାହାନାରେ ସାଜିଦ୍‌ ଏବଂ କାଦର ଚାନ୍ଦିଓ୍ଵାଲାଙ୍କ ଠାରୁ ଚାବି ନେଇଥିଲେ।

ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର