ପୁଅର ଚିକିତ୍ସା ବାହାନା : ୨୦ ଲକ୍ଷ ଟଙ୍କା ନେଇ ମହିଳା ପାର୍‌

ଖଣ୍ଡଗିରି : ପୁଅର ଚିକିତ୍ସା ବାହାନା କରି ପ୍ରାୟ ୩୦ରୁ ଅଧିକ ପରିଚିତ ମହିଳାଙ୍କଠାରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ହାତ ଉଧାରି କରି ଜଣେ ମହିଳା ଫେରାର୍‌ ହୋଇଯାଇଛନ୍ତି। ସେ ହେଲେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ସଂଯୁକ୍ତା ସାହୁ। ଏ ନେଇ ଆଜି ସ୍ଥାନୀୟ ଶ୍ୟାମପୁର, ନୂଆଗାଁ ଓ ମଳିପଡ଼ାର କିଛି ମହିଳା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର ମହିଳାଙ୍କ ପ୍ରକୃତ ଠିକଣା ନ ଥିବାରୁ ଉଭୟ ପୁଲିସ ଓ ମହିଳାମାନେ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିବା ଜଣାପଡ଼ିଛି।

ସୂଚନାନୁସାରେ ପ୍ରାୟ ୨ ବର୍ଷ ହେଲା ସଂଯୁକ୍ତା ସ୍ଥାନୀୟ ନୂଆଗାଁରେ ଏକ ଶାଢ଼ି ଦୋକାନ କରିବା ସହ ସେଠାରେ ଭଡ଼ାରେ ରହୁଥିଲେ। ଦୋକାନରେ ଶାଢ଼ି ବିକିବା ସହ ସେ ମଝିରେ ମଝିରେ ଗାଁକୁ ଗାଁ ବୁଲିି ମଧ୍ୟ ବେପାର କରୁଥିଲେ। ତେଣୁ ସ୍ଥାନୀୟ ମଳିପଡ଼ା, ଶ୍ୟାମପୁର, ନୂଆଗାଁ ଆଦି ଗାଁରେ ସେ ବହୁ ମହିଳାମାନଙ୍କ ପରିଚିତ ହୋଇ ଯାଇଥିଲେ। ପୁଅର କିଡ୍‌ନି ଖରାପ ଥିବାରୁ ଚିକିତ୍ସା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହେଉଛି ବୋଲି କହି ସେ ସେମାନଙ୍କଠାରୁ ସମବେଦନା ଜୁଟାଇ ଚାଲିଥିଲେ। ପରେ ପରେ ସେ ସୁବିଧା ଦେଖି କାହାଠାରୁ ୩୦ ହଜାର ତ କାହାଠାରୁ ୫୦ ହଜାର ଟଙ୍କା ହାତ ଉଧାରି କରି ଚାଲିଲେ। କେତେବେଳ ଶ୍ୟାମପୁରରୁ ତ କେତେବେଳେ ନୂଆଗାଁର ମହିଳାଙ୍କଠାରୁ ଟଙ୍କା ଉଠାଇ ଚାଲିଲେ। ବଡ଼ ଚତୁରତାର ସହ ସେ ସେମାନଙ୍କଠାରୁ ଟଙ୍କା ଉଠାଇ ଚାଲିଥିଲେ ବି ମହିଳାମାନେ ସେ ବାବଦରେ ଟେର୍‌ ପାଇନଥିଲେ। ହଠାତ୍‌ ଦିନେ ସଂଯୁକ୍ତା ଅନ୍ତର୍ଧାନ ହୋଇଗଲେ। ଏହା ପରେ ଧାର ଦେଇଥିବା ମହିଳାମାନଙ୍କ ଅକଲ ଗୁଡୁମ୍‌ ହୋଇ ଯାଇଥିଲା। ବାଧ୍ୟ ହୋଇ ଶେଷରେ ଧାର୍‌ ଦେଇଥିବା ମହିଳାମାନେ ମିଳିତ ହୋଇ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ସଂପୃକ୍ତ ମହିଳାଙ୍କ ପତ୍ତା ପାଇ ପାରିନାହିଁ।

ସମ୍ବନ୍ଧିତ ଖବର