ପ୍ରେମିକ ଫୋନ୍‌ ରିସିଭ୍‌ ନ କରିବାରୁ ଥାନାରେ ମିଥ୍ୟା ଗଣଦୁଷ୍କର୍ମ ଅଭିଯୋଗ କଲା ପ୍ରେମିକା

ପୁଣେ: ଫୋନ୍‌ ରିସିଭ୍‌ ନ କରିବାରୁ ପ୍ରେମିକ ଉପରୁ ଚିଡ଼ି ଯାଇ ଲାଟୁର୍‌ର ଜଣେ ୨୪ ବର୍ଷୀୟ ଯୁବତୀ ତାଙ୍କୁ ଠାବ କରିବାକୁ ଥାନାରେ ନାଲିସ କଲେ କି ସେ ଏବଂ ତାଙ୍କ ବନ୍ଧୁମାନେ ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି।

ପ୍ରେମିକକୁ ଠାବ କରାଯାଇ ଥାନାକୁ ଆଣିବା ପରେ ପୁଲିସ ଜାଣିଲା ଯେ ଉଭୟ ପ୍ରେମରେ ପଡ଼ିଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି।
ଏଫ୍‌ଆଇଆର୍‌ କରାଯାଇ ନ ଥିବାରୁ ସେ ଯୁବତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ପାରି ପୁଲିସ ତାଙ୍କୁ ଛାଡ଼ି ଦେଇଛି।
ମାନବୀୟ ଦୃଷ୍ଟିକୋଣରୁ ଆମେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲୁ ନାହିଁ, କିନ୍ତୁ ଯୁବତୀ ଜଣକ ନିଶ୍ଚିତରୂପେ ପୁଲିସ କଳର ଅସଦ୍‌ବ୍ୟବହାର କରିଛନ୍ତି ବୋଲି କୋନ୍ଧଓ୍ଵା ପୁଲିସର ବରିଷ୍ଠ ଇନ୍‌ସ୍‌ପେକ୍ଟର୍‌ ମିଳିନ୍ଦ ଗାଏକ୍ୱାଡ୍‌ ରବିବାର ଦିନ କହିଛନ୍ତି। ଉଭୟ ଅକ୍ଟୋବର ୨୭ ତାରିଖ ଦିନ ବିବାହ କରିଥିବା କଥା ତାଙ୍କ ଠାରୁ ପ୍ରକାଶ।

ପ୍ରେମରେ ପଡ଼ିଥିବା ସେ ଯୁବକ ଏବଂ ଯୁବତୀ ଲାଟୁରର ବାସିନ୍ଦା। କର୍ମସଂସ୍ଥାନ ଅନେ୍ଵଷଣରେ ଯୁବକ ଜଣକ ଏବେ ପୁଣେ ଚାଲି ଯାଇଥିଲାବେଳେ ସେ କୋନ୍ଧଓ୍ଵାରେ ବସବାସ କରୁଥିବା କଥା ଯୁବତୀ ଜଣକ ଜାଣିଥିଲେ।

ଅକ୍ଟୋବର ୯ ତାରିଖ ଦିନ ଯୁବତୀ ଜଣକ ପୁଣେରେ ପହଞ୍ଚି ସ୍ଥିର କରିଥିଲେ କି, ପୁଲିସ ଦ୍ୱାରା ପ୍ରେମିକକୁ ଖୋଜାଇ ବାହାର କରିବ। ତେଣୁ ପ୍ରେମିକ, ତାଙ୍କ ଭାଇ ଏବଂ ବନ୍ଧୁମାନଙ୍କ ଦ୍ୱାରା ତାଙ୍କୁ ଆକ୍ରମଣ କରାଯାଇ ଗଣଦୁଷ୍କର୍ମ କରାଯାଇଛି ବୋଲି ଏକ ଅଭିଯୋଗ ପତ୍ର ନେଇ ସେ କୋନ୍ଧଓ୍ଵା ଥାନାରେ ପହଞ୍ଚିଥିଲେ। ତା’ପରେ ପୁଲିସ ସନ୍ଧାନ ଆରମ୍ଭ କରି ସପ୍ତାହେ ପରେ ପ୍ରେମିକକୁ ପାଇଥିଲେ।

ପଚରା ଉଚୁରା କରିବାରୁ ଯୁବକ ଜଣକ କହିଥିଲେ କି ସେ ଯୁବତୀ ଜଣଙ୍କୁ ପ୍ରେମ କରିନ୍ତି। କିନ୍ତୁ, ସେ (ପ୍ରେମିକା) ତାଙ୍କ ନିକଟକୁ ବହୁ ପରିମାଣର ଟେକ୍ସଟ୍‌ ଏବଂ ଅନ୍‌ଲାଇନ୍‌ ମେସେଜ୍‌ ପଠାଇ ତାଙ୍କୁ ନୟାନ୍ତ କରିବା କାରଣରୁ ସେ ତାଙ୍କ ସହ କଥା କହିବା ବନ୍ଦ କରି ଦେଇଛି। ଯୁବକ ଜଣକ ପୁଲିସକୁ ଆହୁରି କହିଥିଲେ କି, ସେ ତାକୁ ବାହା ହେବାକୁ ଚାହାନ୍ତି କିନ୍ତୁ, ସେ ପୁଣେରେ ପହଞ୍ଚି ଥିବା କଥା ତାଙ୍କୁ ଜଣା ନ ଥିଲା। ଯୁବକଙ୍କ କଥାକୁ ଯାଞ୍ଚ କରିବାକୁ ସେ ଯୁବତୀଙ୍କୁ ମଧ୍ୟ ଥାନାକୁ ଅଣା ଯାଇଥିଲା। ପରେ ପୁଲିସ ସେମାନଙ୍କୁ ଛାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର