ମହିଳାଙ୍କ ତଣ୍ଟିଚିପି ହତ୍ୟା!

ଭୁବନେଶ୍ୱର : ସପ୍ତାହକ ମଧ୍ୟରେ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ କମିସନରେଟ ପୁଲିସ ମୁଣ୍ଡବ୍ୟଥାର କାରଣ ପାଲଟିଛି। କିଛିଦିନ ତଳେ ରାଜଧାନୀ ଚିଲିପୋଖରୀ ଅଞ୍ଚଳର ଜଣେ ଜାମିନ୍‌ଦାରଙ୍କୁ ହତ୍ୟା କରିବା ସପ୍ତାହେ ନପୂରୁଣୁ ପୁଣି ବୁଧବାର ବିଳମ୍ବିତ ରାତିରେ ନୂଆପଲ୍ଲୀ ଥାନା ଅଧୀନ ମୁଣ୍ଡାସାହି ଅଞ୍ଚଳର ଜଣେ ମହିଳାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ଝୁଲି ମୂଳି(୩୦)। ତେବେ ଝୁଲିଙ୍କୁ ତାଙ୍କ ସ୍ୱାମୀ ମଧୁ ମାଇତି ହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି। ମଧୁ ଫେରାର୍‌ ଥିବାରୁ ପୁଲିସର ସନ୍ଦେହ ବଢ଼ିବାରେ ଲାଗିଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ପୁଲିସ ସୂଚନା ମୁତାବକ, ପ୍ରଥମ ବିବାହରେ ପାରିବାରକି ସମସ୍ୟା କାରଣରୁ ଝୁଲି ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ। ରୋଜଗାର ପାଇଁ ଗଞ୍ଜାମରୁ ରାଜଧାନୀ ଆସିଥିଲେ। କିଛି ମାସ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ମିଠାମିସ୍ତ୍ରି ମଧୁଙ୍କ ସହ ଝୁଲିଙ୍କ ଦେଖା ହୋଇଥିଲା। ୩ ମାସ ତଳେ ଉଭୟ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହର ଦୁଇମାସ ପରେ କୌଣସି କାରଣକୁ ନେଇ ମଧୁ ଝୁଲିଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍‌ କରୁଥିଲା। ଉଭୟଙ୍କୁ ବୁଝାସୁଝା ପାଇଁ ରବିବାର ଝୁଲିଙ୍କ ଭାଇ ରାଜଧାନୀ ଆସିଥାନ୍ତେ। ହେଲେ ଭାଇ ଆସିବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା।

ଗୁରୁବାର ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଜଣେ ପଡ଼ୋଶୀ ଝୁଲିଙ୍କୁ ଡାକିଥିଲେ। ବାରମ୍ବାର ଡାକିବା ସତ୍ତ୍ୱେ ସେ ଜବାବ ନ ଦେବାରୁ ତାଙ୍କ କବାଟ ବାଡ଼େଇଥିଲେ। କବାଟ ବାଡ଼େଇବାରୁ ତାହା ଖୋଲିଯାଇଥିଲା। ଝୁଲି ଚେତାଶୂନ୍ୟ ଅବସ୍ଥାରେ ଖଟ ଉପରେ ମୁହଁମାଡ଼ି ପଡ଼ିରହିଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲିଙ୍କ ଶବ ଖଟ ଉପରୁ ଉଠାଇବା ବେଳକୁ ତାଙ୍କ ମୁହଁରେ ଏକ ଗାମୁଛା ଲାଗିରହିଥିଲା। ନାକବାଟେ ରକ୍ତ ବାହାରିଥିବା ଦେଖା ଯାଇଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ସମ୍ବନ୍ଧିତ ଖବର