ଅନର କିଲିଂ: ସମାନ ଗୋତ୍ର ପୁଅକୁ ପ୍ରେମ କରିବାରୁ ଝିଅକୁ ମାରି ପୋଡ଼ିଦେଲେ ପରିବାର

ମୋରେନା: ମଧ୍ୟପ୍ରଦେଶର ମୋରେନା ଜିଲ୍ଲା। ଏଠାରେ ଥିବା ଗୁର୍ଜର ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଜାତିଗତ ମାନସିକତା ଏତେ ତୀବ୍ର ଯେ ସେମାନେ ଜାତି ପାଇଁ ନିଜ ଜନ୍ମିତ ସନ୍ତାନଙ୍କୁ ବଳି ପକାଇବାକୁ ପଛାନ୍ତି ନାହିଁ ।ବିଶେଷ କରି ଅନ୍ଧବିଶ୍ୱାସର ପ୍ରତିଫଳନ ଯୋଗୁଁ ଅନର କିଲିଂ ପରି ଘଟଣା ଘଟିଚାଲିଥିଲେ ମଧ୍ୟ ପୁଲିସ ଏ ଦିଗରେ ବିଶେଷ କିଛି କରି ପାରୁ ନାହିଁ। ଏହିଭଳି ଏକ ଘଟଣା ଏବେ ମୋରେନା ଜିଲ୍ଲେରେ ଚର୍ଚ୍ଚାର ବିଷୟ ହୋଇଛି।। ସମାାନ ଗୋତ୍ରର ଜଣେ ଯୁବକଙ୍କୁ ଭଲପାଇବା କାରଣରୁ ପଞ୍ଚାୟତର ନିଷ୍ପତ୍ତିକ୍ରମେ ପରିବାର ଲୋକେ ଘର ଭିତରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରି ପୋଡ଼ି ଦେଇଛନ୍ତି। ଖବର ପାଇ ପୁଲିସ ଗାଁରେ ପହଞ୍ଚି ଶ୍ମଶାନରୁ ମୃତ ଯୁବତୀଙ୍କ ହାଡ଼ପାଉଁଶ ଜବତ କରି ଫୋରେନସିକ୍‌ ପରୀକ୍ଷା ପାଇଁ ପଠାଇଛି। ମାତ୍ର ସମ୍ପୃକ୍ତ ଝିଅର ପରିବାର ଲୋକେ ଫେରାର ହୋଇଯାଇଥିବା େବେଳେ ଏହି ପ୍ରସଙ୍ଗରେ ଗାଁ ଲୋକେ ନିଜ ପାଟି ଖୋଲୁ ନାହାଁନ୍ତି ବୋଲି ମୋରେନା ଜିଲ୍ଲା ଅତିରିକ୍ତ ପୁଲିସ ଅଧିକ୍ଷକ ଅନୁରାଗ ସୁଜେନିଆ କହିଛନ୍ତି।
ଗତ ୨୪ ତାରିଖ ରାତିରେମୋରେନା ଜିଲ୍ଲାର ଚୌକଟ୍ଟି ଗାଁରେ ଏହି ଘଟଣା ଘଟିଛି। ଗୁର୍ଜର ଗୋଷ୍ଠୀର ରେଣୁ ସିଂହ ନାମକ ଜଣେ ଯୁବତୀ ପଡୋଶୀ ମୋରପୁରା ଗାଁର ସୋନୁ ନାମକ ଜଣେ ଯୁବକଙ୍କ ସହିତ ଘର ଛାଡ଼ି ଫେରାର ହୋଇ ଯାଇଥିଲେ। ତେବେ ଏହାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଅଶାନ୍ତି ବଢ଼ିବାରୁ ସୋନୁ ପରିବାର ତାଙ୍କ ପୁଅର କିଛି କ୍ଷତି ନ କରିବା ସର୍ତ୍ତରେ ରେଣୁଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ରେଣୁ ଗାଁକୁ ଫେରିବା ପରେ ଗାଁରେ ବରିଷ୍ଠ ଲୋକମାନଙ୍କୁ ନେଇ ଏକ ପଞ୍ଚାୟତ ବସିଥିଲା। ଏଥିରେ ରେଣୁ ସମାନ ଗୋତ୍ରର ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖିଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପଞ୍ଚାୟତ ପରିବାର ଲୋକଙ୍କୁ ନିର୍ଦ୍ଦେଶ ଦେଇଥିଲା ଓ ସେହି ରାତି ରେ ହିଁ ରେଣୁଙ୍କୁ ହତ୍ୟା କରାଯିବା ସହିତ ପୁଲିସକୁ କୌଣସି ସୂଚନା ନ ଦେଇ ଶବକୁ ପୋଡ଼ି ଦିଆଯାଇଥିଲା ପୁଲିସ ରେଣୁ ଓ ସୋନୁଙ୍କ ପରିବାରକୁ ଖୋଜୁ ଥିବାବେଳେ ଉଭୟ ପରିବାର ଫେରାର ହୋଇ ଯାଇଛନ୍ତି। ଅପରପକ୍ଷେ ପୁଲିସ ଶ୍ମଶାନରୁ ରେଣୁଙ୍କ ହାଡ଼, ପାଉଁଶ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଶ୍ରୀ ସୁଜେନିଆ କହିଛନ୍ତି।

ସମ୍ବନ୍ଧିତ ଖବର