ପୁଅକୁ ବୋହୂ ଓ ତାଙ୍କ ପ୍ରେମିକ ମିଶି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଲେ ବାପା

ଭଦୋଦରା: ପୁଅକୁ ବୋହୂ ଓ ତାଙ୍କ ପ୍ରେମିକ ମିଶି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଲେ ବାପା। ଏ ନେଇ ମୃତ ଯୁବକଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତ ଯୁବକଙ୍କ ପତ୍ନୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗୋପାଳ ସିଂହ ପାରମାର ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଦଶରଥ ପାରମାରଙ୍କୁ ତାଙ୍କ ବୋହୂ ଦିବ୍ୟା ଓ ତାଙ୍କ ପୁଅର ସାଙ୍ଗ ତଥା ବୋହୂର ପ୍ରେମିକ ଯୋଗେଶ ପାରମାର ହତ୍ୟା କରିଛନ୍ତି।
ଶ୍ରୀ ପାରମାର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୧ ତାରିଖ ଦିନ ତାଙ୍କ ପୁଅ ଦଶରଥ ଡ୍ୟୁଟି ସାରି ଯୋଗେଶଙ୍କ ସହିତ ମୋଟର ସାଇକେଲରେ ି ଘରକୁ ଫେରୁଥିଲେ। ମୃତ୍ୟୁର କିଛି ସମୟ ପୂର୍ବରୁ ଯୋଗେଶଙ୍କ ସହିତ ଘରକୁ ଫେରୁଥିବା ତାଙ୍କୁ ଦଶରଥ ଟେଲିଫୋନ୍‌ରେ କହିଥିଲେ। ଶ୍ରୀ ପାରମାର ଅଭିଯୋଗ କରିଛନ୍ତି ଯେ ତାଙ୍କ ବୋହୂ ଦିବ୍ୟାଙ୍କର ଯୋଗେଶ ସହିତ ଅନ୍ତରଙ୍ଗ ସମ୍ପର୍କ ଥିଲା। ତେଣୁ ଯୋଗେଶ ତାଙ୍କ ପୁଅ ଦଶାରଥଙ୍କ ଅନୁପସ୍ଥିତିରେ ଘରକୁ ଆସି ଦିବ୍ୟାଙ୍କ ସହିତ ଅନୈତିକ ସମ୍ପର୍କ ରଖୁଥିଲେ। ଏପରିକି ସେମାନେ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇ ତାଙ୍କ ପୁଅ ଦଶରଥଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଶ୍ରୀ ପାରମାର ଅଭିଯୋଗ କରିଛନ୍ତି।
ଶ୍ରୀ ପାରମାର ଅଭିଯୋଗ କରିଛନ୍ତି ଯେ ଦଶରଥ ଓ ଯୋଗେଶ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ବାଟରେ ସେମାନଙ୍କ ମୋଟର ସାଇକେଲ ତେଲ ସରିଗଲା କହି ଯୋଗେଶ ତେଲ ପାଇଁ ଯିବାର କିଛି ସମୟ ପରେ ଦଶରଥଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ରାସ୍ତାରେ ଦଶରଥଙ୍କ ମୃତଦେହ ଦେଖି ଲୋକେ ଏହାଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଭାବିଥିଲେ। ମାତ୍ର ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନ ଥିବା ବେଳେ ବେକରେ ଦାଗ ଥିବା ଦେଖି ଦଶରଥଙ୍କୁ ତଣ୍ଟିିଚିପି ହତ୍ୟା କରାଯାଇଥିବା ଶ୍ରୀ ପାରମାର ଥାନାରେ ଅଭିଯୋଗ କରିଛନ୍ତି।

 

ସମ୍ବନ୍ଧିତ ଖବର