ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ କଲେ ବିଏସ୍‌ଏଫ୍‌ ଯବାନ, ବିଷ ପିଇ ଆତ୍ମହତ୍ୟା କଲେ ପୀଡ଼ିତା

 

ମୁଜାଫର୍‌ନଗର: ଦେଶର ଯବାନମାନେ ଅନେକ ସମୟରେ ନିଜର ବୀରତ୍ୱ ପ୍ରଦର୍ଶନ କରି ଦେଶ ପାଇଁ ଗର୍ବ ସାଜିଛନ୍ତି। ସେମାନଙ୍କ ତ୍ୟାଗ ଓ ବଡ଼ପଣ ପାଇଁ ସାଧାରଣ ଜନତା ଶାନ୍ତିରେ ଜୀବନ ବିତାନ୍ତି ଏଥିରେ ସନ୍ଦେହ ନାହିଁ। ମାତ୍ର ସେହି ଯବାନମାନେ ବେଳେ ବେଳେ ମୁଣ୍ଡ ତଳକୁ ବି କରି ଦେଉଥିବାର ଉଦାହରଣ ରହିଛି। ଉତ୍ତରପ୍ରଦେଶର ମୁଜାଫର୍‌ନଗରରେ ଘଟିଯାଇଛି ସେହିପରି ଏକ ଲଜ୍ଜାକର ଘଟଣା। ଜଣେ ବିଏସ୍‌ଏଫ୍‌ ଯବାନ ଜିଲ୍ଳାର ୨୬ ବର୍ଷୀୟା ଜଣେ ଯୁବତୀଙ୍କୁ ବିବାହ ବାହାନା ଦେଖାଇ ଦୁଷ୍କର୍ମ କରିବା ପରେ ଫାଙ୍କି ଦେଇଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଶନିବାର ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ଜୁଲାଇ ୬ ତାରିଖରେ ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବାର ଜାଣିବାକୁ ମିଳିଛି। ଯୁବତୀ ଜଣକ ବିଷ ପିଇବା ପରେ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲେ ବି ଡାକ୍ତରମାନେ ତାଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଯୁବତୀଙ୍କ ବାପା ପୁଲିସ୍‌ରେ ଏକ ଅଭିଯୋଗ ଲେଖାଇ ଦର୍ଶାଇଛନ୍ତି ଯେ ତାଙ୍କ ଝିଅ ଜଣେ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ଆତ୍ମହତ୍ୟ ପଦକ୍ଷେପ ନେଇଥିଲେ। ଏପରିକି ଯବାନ ଜଣକ ତାଙ୍କର ଓ ଯୁବତୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଇଣ୍ଟର୍‌ନେଟ୍‌ରେ ଅପ୍‌ଲୋଡ କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଫଳରେ ମାନସିକ ଚାପରେ ଆସି ଯୁବତୀ ଜଣକ ଆତ୍ମହତ୍ୟା ରାସ୍ତା ଚୟନ କରିଥିଲେ।

ଅଭିଯୋଗରେ ଆହୁରି ଉଲ୍ଲେଖ କରାଯାଇଛି କି ଅଭିଯୁକ୍ତ ଜଣକ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ଓ ପରବର୍ତ୍ତୀ ମୁହୂର୍ତ୍ତରେ ବ୍ଲାକମେଲଂ କରୁଥିଲେ। ଏହି ଘଟଣାର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର