ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଓ ଭିଡିଓ ଭାଇରାଲ

ଅଭିଯୁକ୍ତ ପୂଜକ ଗିରଫ

ଭୁବନେଶ୍ୱର : ପାଣିରେ ନିଶା ଦେଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଓ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ଆଜି ରାତିରେ ଅଭିଯୁକ୍ତ ପୂଜକକୁ ଗିରଫ କରିଛି। ସେ ହେଲା, ସରୋଜ ଦାସ (୩୨)। ଘର ଲକ୍ଷ୍ମୀ ସାଗର ଅଞ୍ଚଳରେ। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ପୀଡ଼ିତା ମହିଳାଙ୍କ ଘରେ ପୂଜାର୍ଚନା ପାଇଁ ସରୋଜ ବିଭିନ୍ନ ସମୟରେ ଯାଉଥିଲେ। ଏନେଇ ମହିଳାଙ୍କ ପରିବାର ସହ ସରୋଜର ସଂପର୍କ ବଢ଼ିଥିଲା। ପରିବାରର ବିଭିନ୍ନ ଭଲମନ୍ଦରେ ସରୋଜ ପରାମର୍ଶ ମଧ୍ୟ ଦେଉଥିଲେ। ନିକଟ ଅତୀତରେ ମହିଳାଙ୍କ କିଛି ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ସରୋଜଙ୍କ ପରାମର୍ଶ ଲୋଡ଼ିଥିଲେ। ସରୋଜ ତାଙ୍କୁ ସୁନା ଅଳଙ୍କାର ବନ୍ଧକ ରଖିବା ପାଇଁ କହିଥିଲା। ମହିଳାଜଣଙ୍କ ସରୋଜଙ୍କୁ ନିଜ ସୁନା ଅଳଙ୍କାର ଦେବାର ବହୁ ଦିନ ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା। ତେଣୁ ସେ ସଂପର୍କରେ ପଚାରିବା ପାଇଁ ମହିଳା ଜଣକ ସରୋଜଙ୍କ ଘରକୁ ଯାଇଥିଲେ। ଏହାର ସୁଯୋଗ ନେଇ ସରୋଜ ତାଙ୍କୁ ପାଣିରେ ନିଶା ଦେଇ ଦୁଷ୍କର୍ମ କରିଥିଲେ ଓ ଅନ୍ତରଙ୍ଗ ମୁହୂର୍ତର ଦୃଶ୍ୟକୁ ମୋବାଇଲରେ ସୁଟିଂ କରି ନେଇଥିଲା। ମହିଳାଙ୍କ ଚେତା ଆସିବା ପରେ ସରୋଜ ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣା ସମ୍ବନ୍ଧରେ କାହାରିକୁ କହିଲେ ବା ଟଙ୍କା ମାଗିଲେ ସ୍ୱାମୀଙ୍କୁ ଭିଡିଓ ଦେଖାଇବା ସହ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲା। ଧମକକୁ ଖାତିର ନ କରି ମହିଳା ସଂଗଠନ ସହାୟତାରେ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏନେଇ ମହିଳା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ଛାତ୍ରୀ ଅସଦାଚରଣ : ପ୍ରଧାନଶିକ୍ଷକ ଗିରଫ

କାକଟପୁର : କାକଟପୁର ବ୍ଲକ୍‌ ଜଳେଶ୍ୱରପଡ଼ା ସୁନାରିବସ୍ତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଅସଦାଚରଣ ଘଟଣାରେ ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଛି। ପ୍ରଧାନଶିକ୍ଷକ ମାନସ ମିଶ୍ର ଗତକାଲି ବିଦ୍ୟାଳୟରେ ପଢୁଥିବା ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଦୁଇ ଜଣ ଛାତ୍ରୀଙ୍କ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଆଜି ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକ ଓ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଥିଲେ। ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ ପ୍ରଧାନଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଉଦ୍ଧାର କରିବା ସହିତ ଗିରଫ କରିଥିଲେ। ପରେ ସମାନେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଆଜି ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ସାଲେପୁର ପୀଡ଼ିିତାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

କଟକ :୪ଦିନ ତଳେ ଦୁଷ୍କର୍ମର ଶିକାର ହୋଇ କଟକ ବଡମେଡିକାଲ ପେଡିଆଟ୍ରିକ୍‌ ଆଇସିୟୁରେ ଚିକିତ୍ସାଧୀନ ସାଲେପୁର ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଚିକିତ୍ସାର ତଦାରଖ କରୁଥିବା ୧୩ ଜଣିଆ ଡାକ୍ତରୀ ଦଳଙ୍କ ସୂଚନା ଅନୁସାରେ ତାଙ୍କୁ ଏବେ ରକ୍ତ ଓ ଉପଯୁକ୍ତ ଆଣ୍ଟିବାୟୋଟିକ୍ସ ଦିଆଯାଉଛି। ତାଙ୍କ ଛାତିରେ ସଂକ୍ରମଣ ରହିଛି। ସେ ଏବେ ଆଲୋକକୁ ଦେଖି ପ୍ରତିକ୍ରିୟା ଦେଖାଉଛନ୍ତି। କୋମା ସ୍ଥିତିରେ ଏହାକୁ ୫/୧୫ରୁ ୬/୧୫କୁ ଉନ୍ନତି ହୋଇଛି ବୋଲି କୁହାଯାଉଛି। ପ୍ରଥମ ଦିନରୁ ହିଁ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତ ୨୧ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ଫୋଗଳ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁକନ୍ୟା ଘରୁ ଚକ୍‌ଲେଟ କିଣିବାକୁ ଯାଇଥିବାବେଳେ ସେହି ସମୟରେ ପାଓ୍ଵାର କଟ୍‌ ହୋଇଥିବାରୁ ଅନ୍ଧାରର ସୁଯୋଗ ନେଇ ପଡିଶା ଘରର ଯୁବକ ମହମ୍ମଦ ମୁସାକ୍‌ ସ୍କୁଲ ଘରକୁ ଟେକିନେଇ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିିଫିକ୍‌ ଟିମ୍‌ ସହାୟତାରେ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମହମ୍ମଦ ମୁସାକ୍‌କୁ ଗିରଫ କରି ଜେଲ ପଠାଇଛି।

୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ବୁର୍ଲା/ଧନକଉଡ଼ା : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଏକ ୫ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି କାଣ୍ଡ ଘଟାଇଥିବା ପଡ଼ିଶା ଘରର ଜଣେ ନାବାଳକ (୧୫ ବର୍ଷ)ଙ୍କୁ ପୁଲିସ୍‌ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ପୀଡ଼ିତାଙ୍କ ଦିନ ମଜୁରିଆ ବାପାମା’ ଘରେ ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ନାବାଳକ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ବୁର୍ଲା ଥାନାରେ ୧୫୦/୧୮, ୩୭୬ ଆଇଆଇ,୪/୬ପୋସକୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର