ଅବକାରୀ ଚଢ଼ଉ, ବିପୁଳ ମଦ ଜବତ

ମହିଳାଙ୍କ ସମେତ ୬ ଗିରଫ

ଖଣ୍ଡଗିରି: ବୁଧବାର କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଖୋର୍ଧା ଓ ଖଣ୍ଡଗିରି ଅଞ୍ଚଳରେ ଚଢ଼ଉ କରାଯାଇ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖୋର୍ଧା ନୟାଗଡ଼ ସୀମାବର୍ତ୍ତୀ ଚଟୁଆ ଅଞ୍ଚଳର ପ୍ରଫୁଲ୍ଲ ସାହୁ, ଅଜୟ ସାହୁ, ଗାୟତ୍ରୀ ସାହୁ ଏବଂ ଖଣ୍ଡଗିରି ଆଇଗିଣିଆ ଅଞ୍ଚଳର ଚତୁର୍ଭୁଜ ପ୍ରଧାନ, କାଳିଦାସ ପ୍ରଧାନ ଓ ନାଣ୍ଡୁ ବେହେରା। ଖୋର୍ଧା ଅଞ୍ଚଳରୁ ବିପୁଳ ଦେଶୀ ମଦ, ପୋଚ ଓ ମଦ ରନ୍ଧା ଚୁଲୀ ଜବତ କରାଯାଇଥିବା ବେଳେ ଆଇଗିଣିଆ ଅଞ୍ଚଳରୁ ପ୍ରଚୁର ବିଦେଶୀ ମଦ ଜବତ କରାଯାଇଛି।

ସୂଚନାନୁସାରେ ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶରେ ଗୁଇନ୍ଦା ଟିମ୍‌ ଆଜି ଭୋର୍‌ ସମୟରୁ ଏହି ଅପରେସନ୍‌ ଆରମ୍ଭ କରିଥିଲା। ସେମାନେ ପ୍ରଥମେ ନୟାଗଡ଼ ସୀମାକୁ ଲାଗି ରହିଥିବା ଖୋର୍ଧା ଜିଲ୍ଲାର ଚଟୁଆ ଓ ନରସିଂହପୁର ଅଞ୍ଚଳରେ ଚାଲିଥିବା ଦେଶୀ ମଦ କାରବାର ପେଣ୍ଠ ଉପରେ ଚଢ଼ଉ କରିଥିଲେ। ସେଠାରୁ ପ୍ରଫୁଲ୍ଲ, ଗାୟତ୍ରୀ ଓ ଅଜୟକୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ମଦ ରନ୍ଧା ଚୁଲୀ, ପୋଚ ଓ ପ୍ରାୟ ୧୫୦ ଲିଟର ରନ୍ଧା ମଦ ଜବତ କରାଯାଇଥିଲା। ଏହା ପରେ ଏହି ଟିମ୍‌ ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟାରେ ଆଇଗିଣିଆ ଆଳୁଗଦି ନିକଟରେ ବିଭିନ୍ନ ଢ଼ାବାରେ ଚଢ଼ଉ କରିଥିଲା। ସେଠାରୁ ଚତୁର୍ଭୁଜ, କାଳିଦାସ ଓ ନାଣ୍ଡୁକୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୨୦୦ ବୋତଲ ବିଦେଶୀ ମଦ ମିଳିଥିଲା। ଆଜି ଗିରଫ ହୋଇଥିବା ସମସ୍ତ ବେପାରୀ ପେସାଦାର ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜିର ଏହି ଗୁଇନ୍ଦା ଟିମ୍‌ରେ ଅବକାରୀ ଅଧିକାରୀ ଅମରେନ୍ଦ୍ର ଜେନା, ବୈଜୟନ୍ତୀ ପଣ୍ଡା, ଜଗଦୀଶ ସାମଲ ପ୍ରମୁଖ ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର