ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା, ଅନ୍ୟ ୩ ଓଡ଼ିଆ ଗିରଫ

କୋଏମ୍ବାଟୁର: ଜୀବିକାର୍ଜନ ପାଇଁ ସେମାନେ ଓଡ଼ିଶା ଛାଡ଼ି ଯାଇଥିଲେ ତାମିଲନାଡୁ। ସେଠାରେ ଏକ ସୂତାକଳରେ କାମ କରୁଥିଲେ। ସାଙ୍ଗ ହୋଇ ସେହି ସୂତାକଳ ପରିସରରେ ମଧ୍ୟ ରହୁଥିଲେ। ତେବେ ଟଙ୍କା ପଇସା ନେଣଦେଣକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ନିଜର ସାଙ୍ଗ ମାନଙ୍କ ସହିତ ମିଶି ହତ୍ୟା କରିଛନ୍ତି। ତାମିଲନାଡୁ ପୁଲିସ ଏହି ଘଟଣାରେ ୩ ଜଣ ଓଡ଼ିିଆ ଯୁବକଙ୍କୁ ଗିରଫ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ବୁଦ୍ଧିଆ ନାମକ ଜଣେ ୨୨ବର୍ଷୀୟ ଯୁବକ କୁନ୍ନାଥୁର ଠାରେ ଥିବା ଏକ ଘରୋଇ ସୂତାକଳରେ କାମ କରୁଥିଲେ। ତାଙ୍କ ସହିତ ବରଗଡ଼ ଜିଲ୍ଲାର ହରିଲାଲ ଦଣ୍ଡସେନା (୨୪ ବର୍ଷ) ନାମକ ଜଣେ ଯୁବକ ମଧ୍ୟ ସେହି ସୂତାକଳରେ କାମ କରିବା ସହିତ ସୂତାକଳ ପରିସରରେ ରହୁଥିଲେ। ତେବେ ଗତ କିଛି ଦିନ ତଳେ ଦଣ୍ଡସେନା ବୁଦ୍ଧିିଆ ଠାରୁ କିଛି ଟଙ୍କା ଧାର ନେଇଥଲେ। ଦୀର୍ଘ ଦିନ ଧରି ଟଙ୍କା ନ ଫେରାଇବାରୁ ବୁଦ୍ଧିିଆ ହରିଲାଲଙ୍କୁ ଟଙ୍କା ମାଗିଥିଲେ। ମାତ୍ର ହରିଲାଲ ଟଙ୍କା ନ ଫେରାଇ ଓଲଟି ବୁଦ୍ଧିଆଙ୍କୁ ମାଡ଼ ମାରିଥିଲେ। ଏ କଥା ବୁଦ୍ଧିିଆ ସୂତାକଳରେ କାମ କରୁଥିବା ଅନ୍ୟ କେତେଜଣ ଓଡ଼ିଆ ବ୍ୟକ୍ତିଙ୍କୁ କହିଥିଲେ।ଏଥିରେ ହୀରାଲାଲ ଅପମାନ ଅନୁଭବ କରିଥିଲେ। ଗତକାଲି ହୀରାଲାଲ ସେହି ସୂତାକଳ ପାଖରେ କାମ କରୁଥିବା ଅନ୍ୟ ଦୁଇ ଓଡ଼ିଆ ଯୁବକ ପ୍ରେମାନନ୍ଦ ସାହୁ( ୨୩ବର୍ଷ, ଘର ବଲାଙ୍ଗୀର) ଓ ରାଜୀବ ସାହୁ(୨୨ ବର୍ଷ, ଘର -ବଲାଙ୍ଗୀର)ଙ୍କ ସହିତ ମିଶି ଲୁହା ରଡ୍‌ରେ ପିଟିପିଟି ବୁଦ୍ଧିଆଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ହୀରାଲାଲ, ପ୍ରେମାନନ୍ଦ ଓ ରାଜୀବଙ୍କୁ ତାମିଲନାଡୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର