ଭୁବନେଶ୍ୱର: ବଡ଼ ଭାଇଙ୍କ ଦସ୍ତଖତ ଜାଲିଆତି କରି ଜମିବାଡ଼ି ହଡ଼ପ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଭଦ୍ରକ ଭଣ୍ଡାରୀପୋଖରୀ ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ସାନପୁଅକୁ ଗିରଫ କରିଛି। ସେ ହେଲେ ସତ୍ୟପ୍ରକାଶ ସେଠୀ(୫୦)। ଯେତେବେଳେ ପୁରୁଷୋତ୍ତମ ବିଧାୟକ ଥିଲେ ସେହି ସମୟରେ ତାଙ୍କୁ ବିଧାୟକ କୋଟାରେ ନୂଆପଲ୍ଲୀ ଭିଆଇପି କଲୋନିରେ ଏକ ଜମି ଅନୁମୋଦନ କରାଯାଇଥିଲା। ପରବର୍ତ୍ତୀ ସମୟରେ ପୁରୁଷୋତ୍ତମ ସେହି ଜମିକୁ ପଟ୍ଟା କରି ନେଇଥିଲେ। ଉକ୍ତ ଜମିକୁ ୨ପୁଅ ଓ ଝିଅଙ୍କ ନାମରେ କରିବେ ବୋଲି ସ୍ଥିର କରିଥିଲେ। ହେଲେ କିଛିଦିନ ତଳେ ସତ୍ୟପ୍ରକାଶ ଓ ତାଙ୍କ ସାନ ଭଉଣୀ ଚତୁରତାର ସହ ବଡ଼ଭାଇ ଗୋବିନ୍ଦ ଚନ୍ଦ୍ର ସେଠୀଙ୍କ ଜାଲ୍ ଦସ୍ତଖତ କରି ଜମିକୁ ଉଭୟଙ୍କ ନାମରେ କରିନେଇଥିଲେ। ଆଉ ଗୋବିନ୍ଦ ଜମିବାଡ଼ି ନେବାକୁ ଚାହୁଁ ନାହାନ୍ତି ବୋଲି ସେଥିରେ ଲେଖିଥିଲେ। ଏ ବିଷୟରେ ଗୋବିନ୍ଦ ଜାଣିବା ପରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଜି ସତ୍ୟପ୍ରକାଶ ଭୁବନେଶ୍ୱରସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ଖବର ପାଇ ପୁଲିସ ତାଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ସତ୍ୟପ୍ରକାଶଙ୍କ ଭଉଣୀ ଫେରାର୍ ଥିବାରୁ ପୁଲିସ ତାଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି।