ଗଣ୍ଡଗୋଳ କରି ଯୁବକ ଗିରଫ

ଭୁବନେଶ୍ୱର : ଜଳଖିଆ ଦୋକାନରେ ଖାଇବା ପରେ ଟଙ୍କା ମାଗିବାରୁ ଜଣେ ଦୋକାନୀଙ୍କୁ ମାଡ଼ ହୋଇଛି। ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଲକ୍ଷ୍ମୀସାଗର ମଣ୍ଡପ ସାହିର ରମେଶ ବିଶ୍ୱାଳଙ୍କୁ ଗିରଫ କରିଛି। ପୁଲିସ ସୂଚନାନୁଯାୟୀ ମାର୍ଚ୍ଚ ମାସ ୧୩ ତାରିଖ ଦିନ ରମେଶ କଳ୍ପନାରେ ଥିବା ଯୋଗେନ୍ଦ୍ର ବେହେରାଙ୍କ ଫାଷ୍ଟଫୁଡ୍‌ ଦୋକାନକୁ ଖାଇବାକୁ ଯାଇଥିଲା। ଖାଇ ସାରିବା ପରେ ଯୋଗେନ୍ଦ୍ର ତାଙ୍କୁ ଟଙ୍କା ମାଗିଥିଲେ। ରମେଶ ତାଙ୍କୁ ଟଙ୍କା ନଦେଇ ଗାଳିଗୁଲଜ କରିଥିଲେ। ଏହାକୁ ଯୋଗେନ୍ଦ୍ର ବିରୋଧ କରିବାରୁ ରାମେଶ ତାଙ୍କୁ ମଡ଼ମାରି ଥିଲେ। ସେହି ଦିନ ଯୋଗେନ୍ଦ୍ର ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ରମେଶ ସେବେଠାରୁ ଫେରାର ଥିଲା। ମଙ୍ଗଳବାର ରାତିରେ କୌଣସି ସୁତ୍ରରୁ ଖବର ପାଇ ପୁଲିସ ରମେଶର ଲକ୍ଷ୍ମୀସାଗରସ୍ଥିତ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ନାବାଳିକାଙ୍କୁ ଅପହରଣ, ଯୁବକ ଗିରଫ

ଭୁବନେଶ୍ୱର : ତିନି ମାସ ପୂର୍ବରୁ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବା ଯୁବକକୁ ଆଜି କ୍ୟାପିଟାଲ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛିି। ତା ନାଁ ସାନ୍ତନୁ ନାୟକ। ଘର ବାଙ୍କୀ ମୁହାଣ ପୁରୀରେ। ମିଳିଥିବା ସୂଚନାନୁଯାୟୀ ତିନି ମାସ ପୂର୍ବରୁ କ୍ୟାପିଟାଲ ଥାନା ଅଧୀନରେ ଥିବା ଏକ ବସ୍ତିରୁ ସାନ୍ତନୁ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲା। ନାବାଳିକାର ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କୌଣସି ବିଶେଷ ସୁତ୍ରରୁ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ମଙ୍ଗଳବାର ରାତିରେ ପୁରୀ ସ୍ଥିତ ଘରେ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର