ଯୁବକଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜଣେ ଯୁବକଙ୍କୁ କାଠଫାଳିଆରେ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଫୁଲବାଣୀ ଜିଲ୍ଲା ଖଜୁରୀଆପଦା ଅଞ୍ଚଳର ଅରବିନ୍ଦ ବେହେରା। ଏଠାରେ ଲକ୍ଷ୍ମୀସାଗର ଜଗନ୍ନାଥବିହାର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଗାଡ଼ିଚାଳକ ଭାବେ କାମ କରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଅରବିନ୍ଦ ସେହି ସ୍କୁଲର କର୍ମଚାରୀ ଶ୍ରୀଧର ନାୟକଙ୍କୁ ଗାଳିଗୁଲଜ କରିଥିଲା। ପ୍ରତିବାଦ କରିବାରୁ ଅରବିନ୍ଦ ଏକ କାଠଫାଳିଆରେ ଶ୍ରୀଧରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ଶ୍ରୀଧର ଗୁରୁତର ଆହତ ହୋଇଥିଲେ। ସେଠାରେ ଥିବା କର୍ମଚାରୀମାନେ ଉଭୟଙ୍କ ମାରପିଟ୍‌ ଦେଖି ଧାଇଁ ଆସିଥିଲେ। ଅରବିନ୍ଦକୁ ଅଟକାଇବା ସହ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧରଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏହାପରେ ଅରବିନ୍ଦକୁ ଗିରଫ କରି ଥାନାକୁ ନେଇଥିଲା। ଏ ନେଇ ଶ୍ରୀଧର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅରବିନ୍ଦକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର