ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ, ହତ୍ୟା ସନ୍ଦେହ

ଭୁବନେଶ୍ୱର : ଖାରବେଳ ନଗର ଥାନା ଅଧୀନ ସତ୍ୟନଗର ଅମ୍ରିତା ପ୍ୟାଲେସ ନିକଟରେ ଥିବା ଏକ ଓମଫେଡ୍‌ ବୁଥ୍‌ ପଛପଟୁ ଶୁକ୍ରବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି। ମୃତକଜଣଙ୍କ ହେଲେ, ପ୍ରକାଶ ଚନ୍ଦ୍ର ପ୍ରଧାନ। ଘର ନୟାଗଡ଼ ମର୍ଦାରାଜପୁର ଅଞ୍ଚଳରେ। ଏଠାରେ ସେ ସେହି ଓମ୍‌ଫେଡ୍‌ରେ ଦୀର୍ଘ ୪ ବର୍ଷ ଧରି କାମ କରି ଆସୁଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରିଛି। କିନ୍ତୁ ଶବ ଉଦ୍ଧାର ହୋଇଥିବା ସ୍ଥାନର ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅସଲ ଘଟଣା ପଦାକୁ ଆସିବ ବୋଲି ଖାରବେଳନଗର ଥାନା ଇନ୍ସପେକ୍ଟର ମନୋଜ ସ୍ୱାଇଁ ସୂଚନା ଦେଇଛନ୍ତି। ସତ୍ୟନଗର ଅମ୍ରିତା ପ୍ୟାଲେସ ନିକଟରେ ଭାଗୀରଥି ରାଉତ ନାମକ ଜଣେ ଯୁବକଙ୍କ ଓମ୍‌ଫେଡ୍‌ ବୁଥ୍‌ ରହିଛି। ଭାଗୀରଥିଙ୍କ ସଂପର୍କୀୟ ପ୍ରକାଶ ସେଠାରେ କାମ କରୁଥିଲେ। ସବୁଦିନ ଭଳି ଗତକାଲି ରାତିରେ ପ୍ରକାଶ ଦୋକାନରେ ଶୋଇଥିଲେ ହେଁ ଭୋର୍‌ରୁ ଦୋକାନ ଖୋଲିନଥିଲା। ସକାଳ ପ୍ରାୟ ୫ଟାରେ ଭାଗୀରଥିଙ୍କ ସାନ ଭାଇ ସେହି ବାଟ ଦେଇ ପ୍ରାତଃଭ୍ରମଣ କରୁଥିବା ବେଳେ ଦୋକାନ ଖୋଲାନଥିବା ଦେଖିବାକୁ ପାଇଥିଲେ। ଦୋକାନ ପାଖକୁ ଯାଇ ପ୍ରକାଶଙ୍କୁ ବହୁବାର ଡାକିଥିଲେ ହେଁ କିଛି ଉତ୍ତର ମିଳିନଥିଲା। ସନ୍ଦେହ ହେବାରୁ ସେ ଦୋକାନ ପଛପଟକୁ ଯାଇ ଦେଖିବା ବେଳକୁ ପ୍ରକାଶ ବେକରେ ଗାମୁଛା ଲଗାଇ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ସେ ଖାରବେଳ ନଗର ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରୁ ଶବକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର