ଯୁବକଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ବର : ସାଇମନ୍ଦିର ନିକଟ ବାସୁଆଘାଇ ଗଙ୍ଗୁଆନାଳରୁ ଜଣେ ଯୁବକଙ୍କ ଗଳିତ ଶବକୁ ସହିଦନଗର ଥାନା ପୁଲିସ ଉଦ୍ଧାର କରିଛି। ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ। ତାଙ୍କ ବୟସ ୩୫ ବର୍ଷ ହେବ ବୋଲି ପୁଲିସ ଅନୁମାନ କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ପୁଲିସ ସୂଚନା ମୁତାବକ, ସୋମବାର ସକାଳ ପ୍ରାୟ ୬ଟାରେ କେହି ଜଣେ ଯୁବକ ଗଙ୍ଗୁଆ ନାଳରେ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ପୁଲିସକୁ ଫୋନ୍‌ କରିଥିଲେ। ପୁଲିସ ସାଇଣ୍ଟିଫକ୍‌ ଟିମ୍‌ ସହାୟତାରେ ଯୁବକଙ୍କ ଶବ ଉଦ୍ଧାର କରିଥିଲା। ଉଦ୍ଧାର ସମୟରେ ତାଙ୍କ ମୁଣ୍ଡରେ ଏକ କ୍ଷତ ଚିହ୍ନ ଥିବା ଜଣା ପଡ଼ିଥିଲା। ଆଉ ଶରୀର ସମ୍ପୂର୍ଣ୍ଣ ପଚି ଯାଇଥିଲା। ୩-୪ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି। ଯୁବକଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। କେହି ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ନାଳରେ ଭସାଇ‌ ଦେଇଥିବା ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ଆଇଆଇସି ପଦ୍ମନାଭ ପ୍ରଧାନ କହିଛନ୍ତି।

ଦୁର୍ଘଟଣାରେ କାର‌୍‌ ଚାଳକଙ୍କ ମୃତ୍ୟୁ

ଖଣ୍ତଗିରି : ଆଜି ସକାଳ ପ୍ରାୟ ୭ଟା ସମୟରେ ସ୍ଥାନୀୟ ଆଇଗିଣିଆରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ କାର‌୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦ୍ରାପଡ଼ା ନିଆଳର ନିର୍ମଳ ସାହୁ (୪୦)। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରି ଦୁର୍ଘଟଣା ବାବଦରେ ତଦନ୍ତ ଚାଲୁ ରଖିଛି। ସୂଚନାନୁସାରେ ନିର୍ମଳ ନିଜେ ଚଳାଉଥିବା କାର‌୍‌ (ଓଡି୦୨ଜି-୯୦୦୫) ନେଇ ଆଇଗିଣିଆରୁ ଖଣ୍ତଗିରି ଦିଗରେ ଯାଉଥିଲେ। ଆଇଗିଣିଆ ଦୁର୍ଗାପୂଜା ମଣ୍ତପ ପାଖାପାଖି ହଠାତ୍‌ କାର‌୍‌ର ଡାହାଣ ପାଖ ଆଗ ଚକ ଫାଟି ଯାଇଥିଲା। ଫଳରେ କାର‌୍‌ଟି ଭାରସାମ୍ୟ ହରାଇ ସର୍ଭିସ ରୋଡ୍‌ ପାଖ ଡ୍ରେନ୍‌ ଭିତରେ ପଶି ଜାତୀୟ ରାଜପଥ ଉପରକୁ ଉଠି ଯାଇଥିଲା। ନିର୍ମଳ କାର‌୍‌ ଭିତରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଚନ୍ଦ୍ରଶେଖରପୁର : ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ପୁଣି ଗଡ଼ିଛି ଆଉ ଏକ ମୁଣ୍ଡ। ନାଲ୍‌କୋ ଛକ ନିକଟରେ ଟ୍ରକ୍‌ ଧକ୍କାରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିର ମୁନା ମୁଣ୍ଡୁଳି(୨୭) ଆଜି ସକାଳୁ ବାଇକ୍‌ ଯୋଗେ ଯାଉଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରାଯିବା ସହ ଚାଳକକୁ ଗିରଫ କରାଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ‌ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ନିକଟସ୍ଥ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଷଣ୍ଢ ଆକ୍ରମଣରେ ୨୦ଆହତ, ୫ଗୁରୁତର

ପୁରୁଣା ଭୁବନେଶ୍ବର : ସ୍ଥାନୀୟ ଲିଙ୍ଗରାଜ ନଗରଠାରେ ଆଜି ସକାଳେ ଷଣ୍ଢ ଆକ୍ରମଣରେ ୨୦ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଲିଙ୍ଗରାଜ ନଗରର ଚତୁର୍ଭୁଜ ପାଣିଗ୍ରାହୀ, ପ୍ରଫୁଲ୍ଲ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହୁ, ଅଟୋ ଚାଳକ ରମେଶ ଦାସ ଓ ଅନିମା ମିଶ୍ର। ସେହିପରି ଷଣ୍ଢକୁ କାବୁ କରିବାକୁ ଯାଇ ଦେବାଶିଷ ପଟ୍ଟନାୟକ ନାମକ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ଅପରାହ୍ଣ‌େର ବିଏମ୍‌ସି କାଓ କ୍ୟାଚ୍ ଗାଡ଼ି ଆସିବା ପରେ ଷଣ୍ଢକୁ କାବୁ କରାଯାଇଥିଲା।

ସମ୍ବନ୍ଧିତ ଖବର