ବନ୍ଦ କ୍ଲବ୍‌ ଘରୁ ଯୁବକଙ୍କ ମୃତଦେହ ଜବତ

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ବଇଁଚୁଆ ଗ୍ରାମ ବଢ଼େଇ ସାହିର ସୁନାକର ସାହୁଙ୍କ ପୁଅ ଗୁଡୁ ସାହୁ (୧୭) ଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଯାଇଛି। ଗତକାଲି ରାତି ପ୍ରାୟ ଦଶଟା ସମୟରେ କ୍ଲବ୍‌ ଘର କବାଟ ଭାଙ୍ଗି ଗ୍ରାମବାସୀମାନେ ଗୁଡୁକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଗୁଡୁକୁ ମୃତ ଘୋଷଣା କରିଥିଲେ । ଗୁଡୁଙ୍କ ବାପା ସୁନାକରଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ଥାନାରେ ଏ ସଂକ୍ରାନ୍ତରେ କେସ୍‌ ନଂ ୧ / ୧୮ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ପୁଲିସ ସୂଚନାନୁଯାୟୀ ଗୁଡୁ ସ୍ଥାନୀୟ ରଙ୍ଗବଜାର ଛକସ୍ଥିତ ଏକ ଡ୍ରେସ୍‌ ଦୋକାନରେ କାମ କରନ୍ତି । ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଦୋକାନରୁ ଫେରି ଘରେ ଖାଇପିଇ କ୍ଲବ୍‌ ଘରେ ଶୋଇ ପଡ଼ିଥିଲେ । ପରିବାର ଲୋକ ଗୁଡୁ ଘରକୁ ଫେରିବାରେ ଅଧିକ ବିଳମ୍ବ ହେବାରୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କିଛି ପତ୍ତା ମିଳିନଥିଲା । ଏଣେ ରାତିରେ ଉକ୍ତ କ୍ଲବ୍‌ ଘରେ ଶୋଇବାକୁ ଆସିଥିବା ପିଲାମାନେ କବାଟ ବନ୍ଦ କରି ଭିତରେ କେହି ଶୋଇଥିବାର ଭାବି ପଡ଼ ପାଟିରେ ଡାକିଥିଲେ । ହେଲେ ଘର ଭିତରୁ କୌଣସି ଉତ୍ତର ନ ମିଳବାରୁ ସେମାନଙ୍କର ସନ୍ଦେହ ହୋଇଥିଲା । ସେମାନେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ ଏବଂ ଗୁରୁ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଏ ସଂପର୍କରେ ଜଣାଇଥିଲେ । ପରିବାର ଲୋକ ଗୁଡୁକୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ଗୁଡୁକୁ ମୃତ ଘୋଷଣା କରିଥିଲେ । ତେବେ ବନ୍ଦ କୋଠରିରୁ ଗୁଡୁଙ୍କ ମୃତଦେହ ଜବତ ହେବା ଘଟଣା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର