ସରପଞ୍ଚଙ୍କୁ ମାଡ଼ ମାରି ଜେଲ ଗଲେ ଯୁବକ

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ବଇଁଚୁଆ ପଞ୍ଚାୟତ ସରପଞ୍ଚ ବିଜୟ କୁମାର ସାହୁଙ୍କୁ ମାଡ଼ ମାରିବା ସହ ଧମକ ଦେବା ମାମଲାରେ ଆଜି ଉକ୍ତ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଏହି ପଞ୍ଚାୟତ ଅଧୀନ ବଢ଼େଇ ସାହିର ପ୍ରମୋଦ କୁମାର ସାହୁ (୩୯)। ଏନେଇ ବିଜୟଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ଜାମିନ ନାମଂଜୁର ହେବାରୁ ପ୍ରମୋଦଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ପୁଲିସ ସୂଚନାନୁଯାୟୀ ଗତ ୨୨ ତାରିଖ ରାତି ୯ଟା ସମୟରେ ବିଜୟ ପରିବାର ଲୋକଙ୍କ ସହ ବଢ଼େଇ ସାହିକୁ ବାହାଘର ଭୋଜି ଖାଇବାକୁ ଯାଉଥିବା ବେଳେ ଗାଡ଼ି ସାଇଡ୍‌ ନଦେବାକୁ କେନ୍ଦ୍ର କରି ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରମୋଦ ସରପଞ୍ଚଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗଣ୍ଡଗୋଳରେ ଆହତ ପ୍ରମୋଦଙ୍କ ପତ୍ନୀ ମଧ୍ୟ ଅନୁରୂପ ଭାବେ ବାଲିଅନ୍ତା ଥାନାରେ ସରପଞ୍ଚଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ହେଲେ ପୁଲିସ ତାଙ୍କ ଅଭିଯୋଗର କୌଣସି ବିଚାର ନକରି ଘଟଣାର ୩ ଦିନ ପରେ ଏକତରଫା ଭାବେ ସ୍ୱାମୀଙ୍କୁ ଜେଲ୍‌ ପଠାଇ ଦେଇଥିବା ପ୍ରମୋଦଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏ ନେଇ ସେ ଉପରିସ୍ଥ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର