ଚୋରା ମଦ ଜୀବନ ନେଲା : ଯୁବକଙ୍କୁ ପିଟିପିଟି ହତ୍ୟା, ଜଣେ ଅଟକ, ସହଯୋଗୀକୁ ଖୋଜୁଛି ପୁଲିସ

ଭୁବନେଶ୍ୱର : ଚୋରା ମଦ ବ୍ୟବସାୟରୁ ବିବାଦ। ବିବାଦରୁ ନିର୍ମମ ହତ୍ୟା। ଏପରି ଏକ ଘଟଣା ଆଜି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନ୍‌ ବଜାର ମୋଚିସାହି ନିକଟରେ ଥିବା ଏକ ସେଲୁନ୍‌ ସମ୍ମୁଖରେ। ପି. କାମେଶ୍ୱର ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ବାଉଁଶ ମୂଳିରେ ପିଟିପିଟି ହତ୍ୟା କରାଯାଇଛି। କାମେଶ୍ୱରଙ୍କ ଘର କ୍ୟାପିଟାଲ ଥାନା ଅଧୀନ ଫାଳିକିଆ ବସ୍ତି ବୋଲି ଜଣାପଡ଼ିଛି। ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ହଳଦୀପଡ଼ିଆ ଅଞ୍ଚଳର ମୁନା ନାୟକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତା ଘର ପୁରୀ ଜିଲ୍ଲା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଚୋରା ମଦ ବ୍ୟବସାୟକୁ ନେଇ ଦୀର୍ଘ ଦିନ ହେବ କାମେଶ୍ୱର ରେଡ୍ଡୀ ଓ ମୁନା ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ରବିବାର ସକାଳ ପ୍ରାୟ ୯ଟା ସମୟରେ ହଳଦୀପଡ଼ିଆ ଅଞ୍ଚଳରେ ମୁନା ଓ କାମେଶ୍ୱର ମଧ୍ୟରେ ଯୁକ୍ତିତର୍କରୁ ହତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଏହାପରେ କାମେଶ୍ୱର ସେଠାରୁ ଘରକୁ ଚାଲିଆସିଥିଲା। ହେଲେ ପାଟିତୁଣ୍ଡକୁ ନେଇ ମୁନାର ରାଗ ଚରମସୀମାରେ ପହଞ୍ଚିଥିଲା। କାମେଶ୍ୱରକୁ ପାନେ ଦେବା ପାଇଁ ମନେମନେ ଯୋଜନା କରିଥିଲା। ରକ୍ତମୁଖା ହୋଇଉଠିଥିବା ମୁନା ତୁରନ୍ତ ତାର ଜଣେ ସହଯୋଗୀକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲା। ମୁନାକୁ ମାଡ଼ ହୋଇଥିବା ଜାଣିବା ପରେ ସେ ତୁରନ୍ତ ମୁନା ପାଖରେ ପହଞ୍ଚି ଥିଲା। ଏହାପରେ ଉଭୟ ମୁନା ଓ ତାର ସହଯୋଗୀ ପ୍ରତିଶୋଧ ନେବା ପାଇଁ ଏକ ବାଇକ୍‌ରେ କାମେଶ୍ୱର ଘର ନିକଟରେ ପହଞ୍ଚିଥିଲେ। ହେଲେ ସେଠାରେ କାମଶ୍ୱେରକୁ ପାଇ ନଥିଲେ। କାମେଶ୍ୱର କୁଆଡ଼େ ଯାଇଛିବୋଲି ଚତୁରତାର ସହ ତାଙ୍କ ଘରଲୋକଙ୍କୁ ପଚାରି ବୁଝିଥିଲେ। ସେ ମୋଚିସାହିର ଏକ ସେଲୁନ୍‌ରେ ଚୁଟି କାଟୁଥିବା ଜାଣିବା ପରେ ଉଭୟ ସେଠାକୁ ଧାଇଁଥିଲେ।

ସେଠାରେ ପହଞ୍ଚି କାମେଶ୍ୱରଙ୍କୁ ଗାଳିଗୁଲଜ କରିଥିଲେ। କାମେଶ୍ୱର ଏହାର ପ୍ରତିବାଦ କରିବାରୁ ମୁନା ଉତ୍ତ୍ୟକ୍ତ ହୋଇ ସେଠାରେ ପଡ଼ିଥିବା ଏକ ବାଉଁଶ ମୂଳିରେ ତାଙ୍କ କାନମୂଳକୁ ଆକ୍ରମଣ କରିଥିଲା। ତେବେ ଉଭୟ ମୁନା ଓ ତାର ସହଯୋଗୀଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ। ସେମାନଙ୍କୁ ଅଟକାଇବାକୁ କେହି ସାହସ ଯୁଟାଇ ପାରି ନଥିଲେ। ଉଭୟଙ୍କ ଆକ୍ରମଣରେ କାମେଶ୍ୱର ରାକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ି ଚିତ୍କାର କରିଥିଲେ। ଏହାପରେ ଉଭୟ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ସେଠରେ ଥିବା ଲୋକମାନେ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାମେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କାମେଶ୍ୱରଙ୍କ ସାନଭାଇ ପି ଗଣପତି ରେଡ୍ଡୀ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଫେରାର ଥିବା ମୁନ୍ନାର ସହଯୋଗୀକୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର