ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

ଖଣ୍ଡଗିରି : ରବିବାର ସନ୍ଧ୍ୟାରେ ଖଣ୍ଡଗିରି ଥାନା ବାହାଦଲପୁର ଗାଁର କିଛି ଯୁବକ ସ୍ଥାନୀୟ ରଘୁନାଥନଗରର ଜ୍ୟୋତିରଂଜନ ବଳିୟାରସିଂହ ଓରଫ୍‌ ଟିଟନ(୨୫)ଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସାମାନ୍ୟ ବଚସାରୁ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଥିଲେ ବି ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡଟି ବାହାଦଲପୁର ରେଲେଓ୍ଵ ଲେଭଲ୍‌ କ୍ରସିଂ ନିକଟରେ ଘଟିଛି ଓ ଏହା ଏୟାର୍‌ଫିଲ୍ଡ ଥାନା ଅଞ୍ଚଳ ହୋଇଥିବାରୁ ମୃତକଙ୍କ ପରିବାର ପକ୍ଷରୁ ସେହି ଥାନାରେ ଅଭିଯୋଗ କରାଯାଇଛି। ତେବେ ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ସେମାନେ ହତ୍ୟାକାଣ୍ଡର ଅଭିଯୁକ୍ତ କି ଅଘଟଣ ସମୟରେ ସାଙ୍ଗରେ ଥିବା ମୃତ ଟିଟନର ଦୁଇ ବନ୍ଧୁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପୁଲିସ ଟିଟନଙ୍କୁ ମାଡ଼ ମାରିଥିବା ଯୁବକମାନଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

ସୂଚନାନୁସାରେ ସରକନ୍ତରା-ବାହାଦଲପୁର ଗାଁର ୨ ବନ୍ଧୁଙ୍କ ସହ ଟିଟନ୍‌ ରେଲେଓ୍ଵ ଲେଭଲ୍‌ କ୍ରସିଂ ନିକଟରେ ବସିଥିଲେ।

ସମୟ ରାତି ପ୍ରାୟ ୮ଟା। ଏତିକିବେଳେ ସୁନ୍ଦରପଦା ଆଡ଼ୁ ବାହାଦଲପୁରର ଜଣେ ଯୁବକ ତାଙ୍କ ମା’ଙ୍କୁ ବାଇକ୍‌ରେ ବସାଇ ଗାଁକୁ ଫେରୁଥିଲେ। କୌଣସି କାରଣରୁ ଖଟି କରୁଥିବା ୩ ଜଣଙ୍କ ସହ ଉକ୍ତ ଯୁବକଙ୍କର ବଚସା ହୋଇଥିଲା। ତେଣୁ ମା’ଙ୍କ ସହ ଥିବା ଯୁବକଟି ଫୋନ୍‌ କରି ଗାଁର ସମ୍ପର୍କୀୟମାନଙ୍କୁ ଡାକିଥିଲେ। ଖବର ପାଇ ପ୍ରାୟ ୨୦ ଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକମାନଙ୍କୁ ଦେଖି ଟିଟନ ସହ ଥିବା ସେହି ଗାଁର ଦୁଇ ବନ୍ଧୁ କୁଆଡ଼େ ଭୁଲ୍‌ ମାଗି ଘଟଣାସ୍ଥଳରୁ ପଳାଇଥିଲେ। କିନ୍ତୁ ଟିଟନ ପାଲଟା ଗାଁ ଲୋକଙ୍କ ସହ ଯୁକ୍ତିତର୍କ କରିଥିଲା। ତେଣୁ ଗାଁ ଲୋକେ ତାଙ୍କୁ ଘେରି ଯାଇ ପ୍ରବଳ ମାଡ଼ ମାରି ତଳେ ପକାଇ ଦେଇଥିଲେ। ବିଧା ଗୋଇଠାରୁ ଆରମ୍ଭ କରି ଅମରି ବାଡ଼ିରେ ପିଟି ପିଟି ତାଙ୍କୁ ଦରମରା କରି ଛାଡ଼ି ପଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଏୟାର୍‌ଫିଲ୍ଡ ଥାନା ପିସିଆର୍‌ ଟିଟନକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। କିନ୍ତୁ ବାଟରେ ସେ ମରି ସାରିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ଉଭୟ ଖଣ୍ଡଗିରି ଓ ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲା। ଏମିତିକି ମୃତ ଟିଟନର ଦୁଇ ବନ୍ଧୁଙ୍କୁ ଠାବ କରିଥିଲା ଓ ସେମାନଙ୍କୁ ଡାକି ପଚରାଉଚରା କରିଛି। ସେହିଭଳି ମା’ଙ୍କୁ ନେଇ ଯାଉଥିବା ଯୁବକକୁ ବି ପୁଲିସ ଚିହ୍ନଟ କରିଛି ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ସଂଜ ନଇଁଲେ ଏହି ରାସ୍ତାରେ ଅସାମାଜିକ ଯୁବକମାନଙ୍କ ଅଡ୍ଡା ଜମେ। ମଦ ଗଞ୍ଜେଇର ଆସର ଜମିଯାଏ। ଏକଦା ଏଠାରେ ଗୁଳି କାଣ୍ଡ ଘଟିଥିଲା ଓ ସାଙ୍ଗ ସାଙ୍ଗ ଭିତରେ ଘଟିଥିବା ଏହି ଗୁଳିକାଣ୍ଡରେ ୩ ଜଣ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଯେ ସଂଜ ହେବା ପରେ ଏହି ବାଟ ଦେଇ ଘରକୁ ଭୁବନେଶ୍ୱରରୁ ଫେରିବା ବଡ଼ ଭୟଙ୍କର ହୋଇଗଲାଣି। କାରଣ ଲୁଟ୍‌ପାଟ୍‌ ବି ଘଟୁଛି। ତେଣୁ ସନ୍ଧ୍ୟା ପରେ ପ୍ରାୟ ଏହି ରାସ୍ତା ବାଟ ବନ୍ଦ ହୋଇ ଯାଉଛି। ତେବେ ଟିଟନ ହତ୍ୟା ପଛରେ କି କାରଣ ରହିଛି, ତାହା ସନ୍ଦେହ ଘେରରେ ରହିଛି। ଟିଟନଙ୍କ ସମ୍ପର୍କୀୟମାନେ ଉକ୍ତ ୨ ବନ୍ଧୁଙ୍କ ଉପରେ ସନ୍ଦେହ କରୁଛନ୍ତି। ଅପରପକ୍ଷେ ଲୁଟ୍‌ପାଟ୍‌ ଉଦ୍ୟମ କିମ୍ବା ନିଶାସକ୍ତ ଅବସ୍ଥାରେ ମା’ପୁଅଙ୍କୁ ଗାଳିମନ୍ଦ କରିଥିବା କାରଣରୁ ସେମାନଙ୍କ ଭିତରେ ପ୍ରଥମ ଗଣ୍ଡଗୋଳ ଘଟିଥିଲା ବୋଲି ଗ୍ରାମବାସୀମାନେ ଅନୁମାନ କରିଛନ୍ତି। ତେବେ ଟିଟନର ଦୁଇ ବନ୍ଧୁ ହିଁ ମୁକସାକ୍ଷୀ ହୋଇଥିବାରୁ ସେମାନଙ୍କ ବୟାନ୍‌ ପରେ ପ୍ରକୃତ ସତ ଜଣାପଡ଼ିବ।

ସମ୍ବନ୍ଧିତ ଖବର