ପୁଣି ଚାଷୀ ଆତ୍ମହତ୍ୟା

ନୂଆପଡା: ସୋମବାର ନୂଆପଡ଼ା କୋମିନା ବ୍ଲକ୍‌ର ବାଲିପାଟି ଗ୍ରାମରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମୃତ ଚାଷୀଙ୍କ ନାମ ଗୋବିନ୍ଦ ମାଝି ବୟସ ୫୮ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାଲିପାଟି ଗ୍ରାମରେ ବସବାସ କରୁଥିବା ଗୋବିନ୍ଦ ମାଝି ତିନି ଏକର ଜମିରେ ଚାଷ କରୁଥିଲେ। ଏହି ଜମିରେ ଗୋବିନ୍ଦ ଧାନ ଓ ଫୁଲକୋବି ଚାଷ କରିଥିଲେ। କିଛିଦିନ ହେବ ତାଙ୍କର ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଆଉ ବାକିତକ ଜମିରେ ସେ ଫୁଲକୋବି ଚାଷ କରିଥିଲେ। ତେବେ ଅଦିନିଆ ବର୍ଷା ହେତୁ ଫୁଲକୋବି ଚାଷରେ ପାଣି ଜମି ରହିଥିଲା। ଫଳରେ ଏତିକି ଫସଲ ବି ନଷ୍ଟ ହୋଇଯାଇଥିଲା। ନିଜ ଜମିର ସମସ୍ତ ଫସଲ ନଷ୍ଟ ହୋଇଯାଇଥିବା ଦେଖିବା ପରେ ଦୁଃଖରେ ମର୍ମାହତ ହୋଇପଡ଼ିଥିଲେ ସେ। ଏ ପରିସ୍ଥିତିରେ ନିଜ ପରିବାର ଭରଣପୋଷଣ କିପରି କରିବେ ତାଙ୍କୁ କିଛି ବୁଦ୍ଧିବାଟ ଦିଶି ନଥିଲା। ଗୋବିନ୍ଦଙ୍କ ଚାରି ଝିଅ ଓ ଦୁଇ ପୁଅ ଅଛନ୍ତି। ଦୁଇଝିଅଙ୍କୁ ଗୋବିନ୍ଦ ବିବାହ ଦେଇ ସାରିଛନ୍ତି। ତେବେ ଆଜି ସକାଳୁ ସକାଳୁ ବିଲକୁ ଯାଇ କୀଟନାଶକ ଔଷଧ ଖାଇ ଗୋବିନ୍ଦ ଆତ୍ମହତ୍ୟା କରିଥିଲେ। ସକାଳେ ଗ୍ରାମବାସୀ ବିଲକୁ ଗଲା ବେଳେ ଗୋବିନ୍ଦଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦଙ୍କ ମୃତଦେହକୁ ଉଦ୍ଧାର କରିଥିଲା।

ଗୋବିନ୍ଦଙ୍କ ପରିବାରକୁ ସରପଞ୍ଚ ୨ହଜାର ଟଙ୍କା, ତହସିଲ ପକ୍ଷରୁ ୧୦ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଛି। ନୂଆପଡ଼ା ବିଜେପି ୧୦ଲକ୍ଷ ଟଙ୍କାର ସହାୟତା ରାଶି ଜିଲ୍ଲା ପ୍ରଶାସନକୁ ଦାବି କରିଛି।

ସମ୍ବନ୍ଧିତ ଖବର