ପୋକ ଲଗା ଧାନ ଗଛ ନେଇ ଅଧିକାରୀଙ୍କୁ ଭେଟିଲେ ଚାଷୀ

ବଡ଼ବାହାଲରେ ରୋଗ ପୋକ ଯୋଗୁଁ ବ୍ୟାପକ ଫସଲ ହାନି

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍‌ ଝିର୍ଲାପାଲି ପଞ୍ଚାୟତ ବଡ଼ବାହାଲ ଗାଁରେ ରୋଗ ପୋକ ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି। ଚକଡ଼ା, ଗଣ୍ଠି ପୋକ, କାଣ୍ଡବିନ୍ଧା ଓ ଘୁନ୍‌ଘୁଟି ପୋକ ଯୋଗୁଁ ଅଂଚଳର ୧୫୦ରୁ ଅଧିକ ଚାଷୀଙ୍କ ଜମିରେ ୮୦ରୁ ୯୦ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ଅଂଚଳର ଚାଷୀମାନେ ପୋକ ଲଗା ଧାନ ଗଛ ଧରି କୋଲାବିରା ତହସିଲ୍‌ଦାର ଓ କୋଲାବିରା ଜିଲ୍ଲା କୃଷି ଅଧିକାରୀଙ୍କୁ ଭେଟି କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ। ଅନ୍ୟପଟେ କୃଷି ବିଭାଗ ପକ୍ଷରୁ ସଂପୃକ୍ତ ଗାଁରେ କ୍ରପ୍‌କଟିଂ କରାଯାଇଥିବା ବେଳେ ଉପରୋକ୍ତ ପରିମାଣର ଫସଲ ନଷ୍ଟ ହୋଇଥିବା ବିଭାଗ ସ୍ୱୀକାର କରିଛି।

ଓ୍ଵାର୍ଡ ସଭ୍ୟା ଜ୍ୟୋତ୍ସ୍ନା କିଷାନ ଓ ପ୍ରତିମା ରାଉତଙ୍କ ସହ ଭବାନୀ କିଷାନ, ସନ୍ତୋଷ ପଟେଲ, ନୃପମଣି କିଷାନ, ଶାଖା ପଟେଲ, ମହାଦେବ କିଷାନ, ସୁଜିତ ପଟେଲ, ରୁଷିୟୋ ପଟେଲ, ବିପିନ ପଟେଲ, ବୈକୁଣ୍ଠ ଜଗତ ପ୍ରମୁଖ ବହୁ ସଂଖ୍ୟାରେ ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ଗ୍ରାମବାସୀଙ୍କ ପକ୍ଷରୁ ଅଶୋକ ପଟେଲ, କୁଞ୍ଜବନ ପଟେଲ, ସଂଜିତ ପଟେଲ ପ୍ରମୁଖ ତହସିଲ୍‌ଦାରଙ୍କୁ ଭେଟି କ୍ଷତିପୂରଣ ପାଇଁ ଦାବିପତ୍ର ଦେଇଥିଲେ। ତେବେ ଦାବିପତ୍ର ଦେବା ବେଳେ ସେଠାରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ କୃଷି ବିଭାଗ ଓ ରାଜସ୍ୱ ବିଭାଗ କର୍ମଚାରୀ ବଡ଼ବାହାଲ ଗାଁକୁ ଯାଇ ତଦନ୍ତ କିରବେ ଓ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଚାଷୀ ପ୍ରତିନିଧିଙ୍କୁ ଜଣାଇଥିଲେ। ପରେ ଚାଷୀମାନେ କୋଲାବିରା ଜିଲ୍ଲା କୃଷି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ଅନୁପସ୍ଥିତିରେ ସହକାରୀ କୃଷି ଅଧିକାରୀ ଆର୍‌. ଟପ୍ପୋଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜିଏସ୍‌ଟି କାରଣରୁ ଆବଶ୍ୟକ କୀଟନାଶକ ବିଳମ୍ବରେ ଆସିବା ଯୋଗୁଁ ଆଜି ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଶ୍ରୀ ଟପ୍ପୋ ସୂଚନା ଦେଇଛନ୍ତି।
ବଡ଼ବାହାଲ ପରି କୋଲାବିରା ବ୍ଲକ୍‌ରେ ୯ଟି ଯାକ ପଞ୍ଚାୟତରେ ସମାନ ସ୍ଥିତି। ଶୁକ୍ରବାର ରଘୁନାଥପାଲି ପଞ୍ଚାୟତ ପାଇକପଡ଼ା ଗାଁରେ ଜଣେ ଚାଷୀ ନିଜ ଜମିରେ ମରି ଯାଇଥିବା ଧାନ ଗଛରେ ନିଆଁ ଲଗାଇବାକୁ ବାହାରିଥିବା ବେଳେ ଉପସ୍ଥିତ ଅନ୍ୟ ଲୋକେ ବୁଝାସୁଝା କରିବାରୁ ସେ ଓହରି ଯାଇଥିବା ଜଣାପଡ଼ିଛି। ତେଣେ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ବ୍ଲକ୍‌ର ସିରିଆପାଲିରେ ଚାଷୀ ଜୟକୃଷ୍ଣ ପଟେଲ, ଫାଲ୍‌ଗୁନି ପଟେଲ, ସାବିତ୍ରୀ ପଟେଲ, ରଘୁମଣି ପଟେଲ ପ୍ରମୁଖ ନିଜ ନିଜ ଜମିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ଅଂଚଳରେ ଚାଷୀ ଓ ଚାଷ ସମସ୍ୟା ନେଇ ଗସ୍ତରେ ଥିବା ନବନିର୍ମାଣ କୃଷକ ସଂଗଠନ ଉପଦେଷ୍ଟା ସୌମ୍ୟ ରଂଜନ ପଟ୍ଟନାୟକ କୋଲାବିରାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ନ୍ୟାୟୋଚିତ ଦାବିକୁ ସରକାର ଅବହେଳା କରୁଛନ୍ତି। ତାଙ୍କର ଏଭଳି ଉଦାସୀନତା ପ୍ରତିବାଦରେ ଚାଷୀ ବାଧ୍ୟ ହୋଇ ଜମିରେ ନିଆଁ ଲଗାଇ ଦେଉଛନ୍ତି। ତେଣୁ ନିଜ ହକ୍‌ ଓ କ୍ଷତିପୂଣଣ ପାଇଁ ସମସ୍ତ ଚାଷୀ ଓ ଚାଷୀ ସଂଗଠନ ଏକଜୁଟ ହୋଇ ସଂଗ୍ରାମ କରିବା ଆବଶ୍ୟକତା ରହିଛି ବୋଲି ପ୍ରତିକ୍ରିୟାରେ କହିଥିଲେ।

ସମ୍ବନ୍ଧିତ ଖବର