ନଳକୂପ ପାଣିରୁ ବାହାରୁଛି ପୋକ

ବୈପାରିଗୁଡା: ବୈପାରିଗୁଡା ବ୍ଲକରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ଦୂଷିତ ପାଣି। ପୋକ ସାଲୁବାଲୁ ପାଣି ଲୋକଙ୍କୁ ମିଳୁଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ମହୁଲି ପଂଚାୟତ ଅନ୍ତର୍ଗତ ଖଣ୍ଡିଗୁଡା ଗ୍ରାମରେ ୩୦ରୁ ଊର୍ଧ୍ୱ ପରିବାର ବସବାସ କରୁଛନ୍ତି। ଏଠାକାର ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବା ପାଇଁ ଗାଁରେ ୨୦୦୮ ମସିହାରେ ନଳକୂପ ଖନନ କରାଯାଇଥିଲା। ବର୍ତମାନ ଉକ୍ତ ନଳକୂପରୁ ଜିଆ ଓ ପୋକ ବାହାରୁଛନ୍ତି। ଏହାପରେ ଲୋକେ ବାଧ୍ୟ ହୋଇ ଦୂଷିତ ଚୁଆ ପାଣି ବ୍ୟବହାର କରୁଛନ୍ତି। ଏନେଇ ମହୁଲି ପଂଚାୟତର ନାଏବ ସରପଂଚ ଅଭିଯୋଗ କରିବା ସହ ତୁରନ୍ତ ନଳକୂପ ମରାମତି କରିବା ପାଇଁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗତ ଦୁଇ ମାସ ହେଲା ନଳକୂପରୁ ଦୂଷିତ ପାଣି ବାହାରୁଥିଲେ ହେଁ ପ୍ରଶାସନ ନିରବ ବସିଛି। ତେଣୁ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର