ବାଲେଶ୍ବର,: ବାଲେଶ୍ବର ସଦର ବ୍ଲକ କୁରାଡିହା ପଞ୍ଚାୟତ କୋଇଲିସାହିରେ ବିଦ୍ୟୁତ୍ ତାର ଛିଡ଼ି ୮ ଗୋରୁଙ୍କ ମୃତ୍ୟୁ ହୋଇଛି। ଆଜି ଦିନ ୧୨ଟା ବେଳେ କୋଇଲିସାହି ସେଠୀସାହି ବିଲରେ ଗାଈଗୋରୁ ଚରୁଥିବା ବେଳେ ଝୁଲି ରହିଥିବା ୧୧ କେଭି ତାର ଛିଡ଼ିପଡ଼ିଥିଲା। ତାର ସଂସ୍ପର୍ଶରେ ଆସି ୮ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖରେ ଥିବା ଆଉ କିଛି ଗୋରୁ ଏଥିରୁ ବର୍ତ୍ତିଯାଇଥିଲେ। ଗୋରୁ ମରିବା ପରେ ପ୍ରଶାସନ ପକ୍ଷରୁ ବହୁ ସମୟ ଧରି କେହି ଘଟଣାସ୍ଥଳରେ ପହଞ୍ଚିନଥିଲେ। ମୃତ୍ୟୁ ହୋଇଥିବା ଗୋରୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ହଳଦୀପଦା ଏଲ୍ଆଇ ପହଞ୍ଚି ଏ ବାବଦରେ ତହସିଲଦାରଙ୍କୁ ଲେଖିଦେବା ପାଇଁ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ବହୁଦିନ ଧରି ଏହି ବିଦ୍ୟୁତ୍ ତାର ବିଲରେ ଝୁଲି ରହିଥିଲା। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିତ୍ୟୁତ୍ ବିଭାଗ କିଛି ଶୁଣିନଥିଲା। ଗ୍ରାମର ବିଦ୍ୟାଧର ସେଠୀ, ପତଙ୍ଗ ଦାସ, ବନମାଳି ସେଠୀ, ବାଇଧର ସେଠୀ, ପଞ୍ଚୁଆ ଦାସ ଓ ନୃସିଂ ଦାସଙ୍କର ଗୋରୁ ମରିଥିବା ଜଣାପଡ଼ିଛି।ସଦର ତହସିଲଦାର ପଞ୍ଚାନନ ପାତ୍ରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ସରକାରୀ ସହାୟତା ଯାହା ରହିଛି ଲୋକଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି।