ମନରେଗାରେ ଗଞ୍ଜାମରେ ଦିନକୁ କାମ କରୁଛନ୍ତି ୧ଲକ୍ଷ ଲୋକ

ବ୍ରହ୍ମପୁର: କରୋନା ମହାମାରୀ ସମଗ୍ର ଦେଶକୁ କବ୍‌ଜା କରି ରଖିଛି। କରୋନା ଚେନ୍‌କୁ ଭାଙ୍ଗିବା ଲାଗି ମାର୍ଚ୍ଚ ୨୨ରୁ ଲକ୍‌ଡାଉନ୍‌ ଫଳରେ ଗୋଷ୍ଠୀଗତ କାର୍ଯ୍ୟ ବନ୍ଦ ରହିଥିଲା। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା) ଅନ୍ତର୍ଗତ କାର୍ଯ୍ୟ ମଧ୍ୟ ବନ୍ଦ ରହିଥିଲା। ଦ୍ବିତୀୟ ପର୍ଯାୟ ଲକ୍‌ଡାଉନ୍‌ରେ ରାଜ୍ୟ ସରକାର ମନରେଗାକୁ କଟକଣା ମୁକ୍ତ କରିବା ପରେ ଅର୍ଥାତ ଏପ୍ରିଲ ୧୬ଠାରୁ ଗଞ୍ଜାମ ଜିଲ୍ଲାରେ ମନରେଗା କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଜିଲ୍ଲାରେ ଦିନକୁ ଏବେ ପ୍ରାୟ ୧ ଲକ୍ଷ  ଲୋକ କାମ କରୁଛନ୍ତି।  ଗତକାଲି ସୁଦ୍ଧା ଜିଲ୍ଲାରେ ୧୧ଲକ୍ଷ ୯୫ହଜାର ୩୫ ଶ୍ରମ ଦିବସ ସୃଷ୍ଟି ହୋଇଛି। ରାଜ୍ୟରେ ଗଞ୍ଜାମ ଜିଲ୍ଲା ଏକ ନମ୍ବର ସ୍ଥାନରେ ରହିଛି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।
ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ ଅନ୍ତର୍ଗତ ୫୦୩ଟି ପଞ୍ଚାୟତରେ ୬ହଜାରରୁ ଅଧିକ ଗ୍ରାମ ରହିଛି। ଜିଲ୍ଲା ଲୋକସଂଖ୍ୟା ୪୦ଲକ୍ଷ, ଅଧିକାଂଶ ଶ୍ରମଜୀବୀ। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଜିଲ୍ଲାର ୧୪ଲକ୍ଷ ୪୮ହଜାର ଶ୍ରମିକଙ୍କୁ ୫ଲକ୍ଷ ୩୩ ହଜାର ଜବ୍‌କାର୍ଡ଼ ଦିଆଯାଇଛି। ଏଥିମଧ୍ୟରୁ ୨ଲକ୍ଷ ୯୪ ହଜାର ଜବ୍‌କାର୍ଡ଼ଧାରୀ ତଥା ୪ଲକ୍ଷ ୩୧ହଜାର ଶ୍ରମିକଙ୍କ ମନରେଗା କାର୍ଯ୍ୟରେ ସକ୍ରିୟ ଯୋଗଦାନ ରହିଛି। ଏଥି ମଧ୍ୟରେ ୧୯.୮୮ପ୍ରତିଶତ ଏସ୍‌ସି ଏବଂ ୬.୦୩ ପ୍ରତିଶତ ଏସ୍‌ଟି ବର୍ଗର ଶ୍ରମିକ ଅଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲାର ୪୬ହଜାର ୩୩୦ଜଣ ଶହେ ଦିନ କାମ ପାଇଛନ୍ତି। ଶ୍ରମ ବଜେଟ୍‌ ୧୩୬ଲକ୍ଷ ୧୫ ହଜାରରୁ ୧୩୪ଲକ୍ଷ ୮୫ହଜାର ଖର୍ଚ୍ଚ ହୋଇଛି। ସଫଳତା ହାର ରହିଛି ୯୯.୦୫ ପ୍ରତିଶତ।
୨୦୨୦-୨୧ ଆର୍ଥିକ ବର୍ଷରେ ଶ୍ରମ ବଜେଟ୍‌ ରହିଛି ୧୫୩.୯୧ଲକ୍ଷ ରହିଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ କାମ ବନ୍ଦ ରହିଥିଲା। ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ    ରାଜ୍ୟ ସରକାର ମନରେଗାକୁ କଟକଣା ମୁକ୍ତ କରିଥିଲେ। ଏପ୍ରିଲ ୧୬ତାରିଖ ପର ଠାରୁ ଜିଲ୍ଲାରେ ଏମ୍‌ନରେଗା କାମ ଆରମ୍ଭ ହୋଇଛି। ଜିଲ୍ଲାରେ ଗତକାଲି ସୁଦ୍ଧା ୧୧ଲକ୍ଷ ୯୫ହଜାର ୩୫ ଶ୍ରମ ଦିବସ ସୃଷ୍ଟି ହୋଇଛି। ୧୬୦ଜଣ ଭିନ୍ନକ୍ଷମ ବ୍ୟକ୍ତି ବି ମନରେଗାରେ କାମ ପାଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ କରୋନା ମୁକାବିଲାରେ ବ୍ୟସ୍ତ ରହିଥିବା ବେଳେ ମନରେଗା କାର୍ଯ୍ୟ ଉପଯୁକ୍ତ ତଦାରଖ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି।  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସ୍ବାଇଁ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ତଦାରଖ କରିବା କଷ୍ଟକର ଥିଲା। ତଥାପି ଜିଲ୍ଲାରେ ତଦାରଖ ଏକ ନିରନ୍ତର ପ୍ରକ୍ରିୟା। ମନରେଗା କାର୍ଯ୍ୟରେ ସାମାଜିକ ଅଡିଟ୍‌ ହେଉଛି।
ସମ୍ବନ୍ଧିତ ଖବର