ପୁଣି ୧୦ କିମି ବୁହା ହୋଇ ମେଡିକାଲ ଆସିଲେ ଡଙ୍ଗରିଆ ମହିଳା

କଲ୍ୟାଣସିଂହପୁର: ପୁଣି ୧୦ କିମି ବୁହା ହୋଇ ମେଡିକାଲ ଆସିଲେ ନିୟମଗରି ପାହାଡ ଉପରେ ଥିବା ଟେଭାପଡା ଗ୍ରାମର ଜଣେ ଡଙ୍ଗରିଆ ରୋଗଣା ମହିଳା। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ରାସ୍ତା ନଥିବା ଗାଁ ଟେଭାପଡାର ମହିଳା ତେଲାଡି କାଡ୍ରାକାଙ୍କୁ ଭାରରେ ବୋହି ଅଣାଯାଇଛି। ତେଲାଡି ଗତ କିଛି ଦିନ ଧିରି ମ୍ୟାଲେରିଆ ଜ୍ୱରରେ ପୀଡିତ ହୋଇଥିଲେ। ଆଜି ସକାଳେ ତେଲାଡିଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପ୍ରଥମେ ୧୦୮ ଆମୁଲାନ୍‌ସକୁ ଫୋନ କରିଥିବାରୁ ଗାଡି ଯିବନାହିଁ ବୋଲି ଉତ୍ତର ମିଳିବା ପରେ ପରିବାର ଲୋକ ସଂପର୍କୀୟଙ୍କ ସହାୟତାରେ ବାଧ୍ୟ ହୋଇ ଏକ ବାଉଁଶରେ ଲୁଗାବାନ୍ଧି ଜାମ୍ବପଦର ଛକ ପର୍ଯ୍ୟନ୍ତ ବୋହି ଆଣିବା ପରେ ସେଠାରୁ ଅଟୋରେ କଲ୍ୟାଣୀ ନଦୀ ନିକଟରେ ପହଞ୍ଚିଥିଲେ।

ନଦୀରେ ପୋଲ ନଥିବାରୁ ଭାରରେ ନଦୀ ପାର କରିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସୂଚନାଥାଉକି, ଏହିପରି ଭାବେ ବ୍ଲକରେ ଗତ ତିନି ମାସ ମଧ୍ୟରେ ୨୨ରୁ ଉର୍ଧ୍ୱ ମହିଳା ଭାରରେ ବୁହା ହୋଇ ମେଡିକାଲକୁ ଆସିବା ଘଟଣା ଚର୍ଚ୍ଚା ପାଲଟିଥିଲେ ବି ପ୍ରସାଶନର ଅଖିଦୃଶିଆ ପଦକ୍ଷେପ ଏଯାଏଁ ଦେଖିବାକୁ ମିଳିନାହିଁ। କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ କଲ୍ୟାଣସିଂହପୁର ବ୍ଲକରେ ରୋଗୀ ସ୍ଥାନାନ୍ତର ପାଇଁ ବାଇକ ଆମ୍ବୁଲାନ୍‌ସ ଯୋଜନା ଆରମ୍ଭ କରିଥିଲେ।

ତେବେ ଉକ୍ତ ଆମ୍ବୁଲାନ୍‌ସ କେଉଁଠି ରହିବ ଓ କିଏ ଚଲାଇବ ସେଥିନେଇ ଆଜ ିଯାଏଁ ସ୍ଥିର ହୋଇପାରିନଥିବାରୁ ବ୍ୟବହାର ହୋଇପାରିନାହିଁ। ଏପରିକି ବାଇକ ଆମ୍ବୁଲାନ୍‌ସ କେଉଁ କେଉଁ ଅଞ୍ଚଳକୁ ଯିବ ତାହାବି ସ୍ଥିର ହୋଇନଥିବା ଜଣାପପଡିଛି। ବ୍ଲକରେ ଯଦିଓ ବାଇକ ଆମ୍ବୁଲାନସ ଚାଲିଲେ ବି ପାର୍ସାଲି ଅଞ୍ଚଳର ଅନେକ ଗ୍ରାମକୁ ରାସ୍ତା ନଥିବାରୁ ରୋଗୀ ଓ ଗର୍ଭବତୀ ଭାରରେ ବୁହାହେବା ନିଶ୍ଚିତ ବୋଲି ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ଏହାରି ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର