ମାହାଳିଆପୁଟରେ ମହରଗ୍‌ ଜୀବନ ଜିଉଁଛି ଗୁରୁବାରୀ, ଏକା ଛାଡି ପଳାଇଲା ମା’

ଜୟପୁର (ଶ୍ରୀକାନ୍ତ ସାହୁ): ଓଳିଏ ଖାଇଲେ ଓଳିଏ ଉପାସ। ସ୍କୁଲ ଖୋଲିଲେ ପେଟକୁ ଦାନା ଯିବ, ନାହିଁ ତ ସହୃଦୟ ବ୍ୟକ୍ତିଙ୍କ ହାତ ଟେକା ହିଁ ଭରସା। ଯଦି କେଉଁ ଦିନ ସେତକ ବନ୍ଦ, ସେଦିନ ପାଣି ପିଇ ଦିନ କାଟିବାକୁ ହୁଏ। ସେତକ ନାହିଁ ତ ଖାଡା ଉପାସ। ଏପରି ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଲକ ଟଙ୍କୁଆ ପଞ୍ଚାୟତ ଅନ୍ତର୍ଗତ ମାହାଳିଆପୁଟ ଗାଁରେ।

ମାହାଳିଆପୁଟ ଗାଁରେ ମହରଗ୍‌ ଜୀବନ ଯିଉଁଛି ୧୦ ବର୍ଷର ଝିଅ ଗୁରୁବାରୀ ପରଜା। ଗୁରୁବାର ଦିନ ଜନ୍ମ ହୋଇଥିବାରୁ ବାପାମା ଗୁରୁବାରୀ ସିନା ନାଁ ଦେଇଥିଲେ କିନ୍ତୁ ଜନ୍ମରୁ ଆର୍ଥିକ ଅନାଟନ ଦେଇ ଗତି କରୁଛି। ଦୁଇ ବର୍ଷ ତଳେ ବାପା କାଦୁଅ ପରଜାର ଆକସ୍ମିକ ମୃତ୍ୟୁ ପରେ ସେ ବାପଛୋଉଣ୍ଡ ହୋଇଯାଇଛି। ଖାଲି ଯେ ବାପ ଛେଉଣ୍ଡ ହୋଇଛି ତାହା ନୁହେଁ ମା’ ମଧ୍ୟ ହାତ ଛାଡି ଏକା କରି ପଳାଇଛି। ଯେତେବେଳେ ମା’ର ସ୍ନେହ ଆବଶ୍ୟକତା ରହିଛି ସେହିଭଳି ଘଡିସନ୍ଧି ମୁହୂର୍ତ୍ତରେ ହାତ ଛାଡିଛି ସ୍ୱାର୍ଥପର ମା’। ଦିନେ ରାତିରେ ଶୋଇଥିବା ବେଳେ ନିଜ ସ୍ୱାର୍ଥକୁ ଦେଖି ମା’ କେଉଁଆଡେ ପଳାଇଛି ଯେ ଆଜି ଯାଏ ଖୋଜ ଖବର ନାହିଁ। ଯତେବେଳେ ତା’ବୟସର ପିଲାଏ ବାପା-ମା’ର ସ୍ନେହ ପାଉଛନ୍ତି, ସେ ସେଥିରୁ ବଞ୍ଚିତ ହୋଇଛି। ହେଲେ ସବୁଦିନ ସମାନ ଯାଉ ନ ଥିବାବେଳେ ରୋଗବେରାଗ ହେଲେ ପାଖରେ କେହି ନାହାନ୍ତି। ପଡିଶାରେ ରହୁଥିବା ପ୍ରସନ୍ନ କୁମାର ପାଣିଗ୍ରାହୀ ହିଁ ସବୁ କିଛି। ତାଙ୍କ ହାତଟେକାରେ ଦୁର୍ବିସହ ଜୀବନ ଯିଉଁଛି। ଏହି ୫ମ ଶ୍ରେଣୀରେ ପଢୁଥିବା କୋମଳମତି ଶିଶୁକନ୍ୟା।

ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଯେ ଦୀର୍ଘ ଦିନ ତଳେ କାଦୁଆ ପରଜା ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଅତ୍ୟାଚାର ପାଇଁ ଜୟପୁର ଫେରିବା ପରେ ଗାଁରେ କୁଲିଭୁତି କରି ଖଟୁଥିଲା। ଦୁଇବର୍ଷ ତଳେ କାଦୁଅ ଅକାଳ ବିୟୋଗ ହେବା ପରେ ତା ସ୍ତ୍ରୀ ଦଇମତି ପିଲାକୁ ଛାଡି ପଳାଇଗଲେ ଯେ ଏବେ ଯାଏ ଖୋଜ ଖବର ନାହିଁ। ଭୋକରେ ପିଲାଟି ଆଉଟିପାଉଟି ହେଉଥିବାରୁ ଆମ ଘରେ ସକାଳେ ଓ ରାତିରେ ଖାଉଥିବାବେଳେ ଭଙ୍ଗାଘରେ ରହୁଛି। ଯେଉଁଦିନ ସ୍କୁଲ ଛୁଟି ସେଦିନ ତା ପେଟକୁ ଦାନା ଯିବ ନାହିଁ ତ ଆମ ଘରେ ରହି ଖାଉଛି। କିନ୍ତୁ ଶିଶୁଟି ଦିନକୁ ଦିନ କିଶୋରୀରେ ପରିଣତ ହେଉଛି। ଯଦିବା ଆଜି ସେ ପିଲାଅଛି ଆସନ୍ତାକାଲିକୁ ବଡ ହେବ। ତାର ଭବିଷ୍ୟତ ପାଇଁ ଯଦି ସରକାର କି ଜିଲ୍ଲା ପ୍ରଶାସନ କିଛି ବ୍ୟବସ୍ଥା ଗ୍ରହଣ କରନ୍ତା ତେବେ ଭଲହୁଅନ୍ତା ବୋଲି ସେ କହିଛନ୍ତି।

ଏନେଇ ଡିସିପିଓ ରାଜଶ୍ରୀ ଦାସ କହିଛନ୍ତି ଯେ ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇଛି। ଦିନ ଦୁଇଦିନ ମଧ୍ୟରେ ତା’ନିକଟକୁ ଯାଇ ଆମେ ତାକୁ ଆଣି ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ।

ସମ୍ବନ୍ଧିତ ଖବର