ସୁନ୍ଦରଗଡ଼ରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ସଂଖ୍ୟା ହେଲା ୫୪

ରାଉରକେଲା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି। ସମାନ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରେ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ପ୍ରଥମଥର ପାଇଁ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଆଜି ସକାଳେ ଜଣେ ନାବାଳକ (୫) ଓ ଜଣେ ଯୁବକ (୨୧) ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବିଳମ୍ବିତ ସନ୍ଧ୍ୟାରେ ଆଉ ୧୩ ଜଣ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ନିଖୀଳ ପୱନ କଲ୍ୟାଣ ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ହାଇଟେକ୍‌ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି। ଆଜି ୧୫ ଜଣ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୫୪ରେ ପହଞ୍ଚିଛି।

ଆଜି ପୂର୍ବାହ୍ନରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପାନପୋଷ ଅଞ୍ଚଳର ଥିବାବେଳେ ଅନ୍ୟ ଜଣେ ସବଡେଗା ବ୍ଲକ ଅଞ୍ଚଳର। ପାନପୋଷରୁ ଚିହ୍ନଟ ୫ ବର୍ଷୀୟ ନାବାଳକ ହେଉଛନ୍ତି ଜିଲ୍ଲାର ସର୍ବକନିଷ୍ଠ କରୋନା ଆକ୍ରାନ୍ତ। ନାବାଳକଙ୍କ ବାପା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଝାଡ଼ଖଣ୍ଡରେ ଦିନ ମଜୁରିଆଭାବେ କାମ କରୁଥିଲେ। ଗତ ୨୨ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ହାଇଟେକ୍‌ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ନାବାଳକଙ୍କ ସମେତ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କୁ ବିପିୟୁଟି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। କରୋନା ଲକ୍ଷଣ ଦେଖାଯିବାପରେ ନାବାଳକଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା।

ସେହିଭଳି ଆଜି ଚିହ୍ନଟ ଦ୍ବିତୀୟ ଆକ୍ରାନ୍ତ ହେଉଛନ୍ତି ଛତିଶଗଡ଼ର ମୂଳବାସିନ୍ଦା। ଏହି ୨୧ ବର୍ଷୀୟ ଯୁବକ ସବଡେଗା ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ଗତ ୨୬ ତାରିଖରେ ସୁନ୍ଦରଗଡ଼ ସ୍ଥିତ ଏନ୍‌ଟିପିସି କୋଭିଡ୍ ହେଲ୍‌ଥ କେୟାର ସେଣ୍ଟର୍‌କୁ ଆସି ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେଠାରେ ତାଙ୍କର ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ଆଇଜିଏଚ୍‌ ଟେଷ୍ଟିଂ ସେଣ୍ଟର୍‌କୁ ପଠାଯାଇଥିଲା। ସେହିଭଳି ଆଜି ବିଳମ୍ବିତ ସନ୍ଧ୍ୟାରେ ଚିହ୍ନଟ ଅନ୍ୟ ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଟାଙ୍ଗରପଲ୍ଲୀ ବ୍ଲକ ମଙ୍ଗସପୁର ଗ୍ରାମପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରର ୮ ଜଣ, ରାଉରକେଲାର ୪ ଜଣ ଏବଂ ଲେଫ୍ରିପଡ଼ା ବ୍ଲକ ସର୍ଗିପାଲୀ ସଙ୍ଗରୋଧ କେନ୍ଦ୍ରର ୧ ଜଣ ଅଛନ୍ତି। ରାଉରକେଲାର ଏହି ୪ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେହିଭଳି ଟାଙ୍ଗରପଲ୍ଲୀ ବ୍ଲକ ମଙ୍ଗସପୁର ସଙ୍ଗରୋଧ କେନ୍ଦ୍ରର ୮ ଜଣ ଓ ଲେଫ୍ରିପଡ଼ା ବ୍ଲକ ସର୍ଗିପାଲୀ ସଙ୍ଗରୋଧ କେନ୍ଦ୍ରର ୧ ଜଣ, ଅର୍ଥାତ୍‌ ସମସ୍ତ ୯ ଜଣ ଶ୍ରମିକ କିଛି ଦିନ ପୂର୍ବେ ମୁମ୍ବାଇରୁ ଫେରିଥିଲେ। ଏହି ୯ ଜଣ ମୁମ୍ବାଇରେ ଗୋଟିଏ କମ୍ପାନିରେ କାର୍ଯ୍ୟରତ ଥିଲେ। ଉକ୍ତ କମ୍ପାନିର ମାଲିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଣୁ ମାଲିକଙ୍କ ସଂସ୍ପର୍ଶରେ ଆସି ଏମାନେ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର