ଖଇରଝୋଲାରେ ୧୩ ବଖରା ଘର ଜଳିଗଲା

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅଳସୁ ପଞ୍ଚାୟତର ଖଇରଝୋଲା ଗ୍ରାମରେ ଆଜି ଅପରାହ୍‌ଣ ୪ଟାରେ ଅଗ୍ନିକାଣ୍ଡ ଘଟି ୧୩ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ସୁକାନ୍ତି ଗୌଡ଼ଙ୍କ ଘରୁ ନିଆଁ ବାହାରି ଗୋପାଳ ବେହେରା, ବିଦେଶୀ ମହାକୁଡ଼, ବାଞ୍ଛାନିଧି ମହାକୁଡ଼, ଫୁଲ ପ୍ରଧାନ, ସୁକାନ୍ତି ଗୌଡ଼, ବାହାପାଣି ଗୌଡ଼, ଉଦୟ ଗୌଡ଼, ସନ୍ତୋଷ ଗୌଡ଼, ସୁମିଆ ମହାକୁଡ଼, ଉଦୟ ଗୌଡ଼, ଶଶୀ ନାୟକ, ଅରକ୍ଷିତ ନାଇକ ଓ ବିରୂପାକ୍ଷ ଡାକୁଆଙ୍କ ଘରକୁ ବ୍ୟାପିଯାଇଥିଲା। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ସମସ୍ତ ବଖରା ପୋଡ଼ିଯାଇଥିଲା। ଆର୍‌ଆଇ ସୀମାଞ୍ଚଳ ମଳିକ ଓ ଅତିରିକ୍ତ ତହସିଲଦାର ବାରିଆଲ ମୁର୍ମୁ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିଲେ। ପଞ୍ଚାୟତ ତରଫରୁ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ସରପଞ୍ଚ ଦୁଃଶାସନ ନାୟକ କହିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ଦାବି ହୋଇଛି।

ସମ୍ବନ୍ଧିତ ଖବର