ମୟୂରଭଞ୍ଜକୁ ଫେରିଲେଣି ୧୫ହଜାରରୁ ଊର୍ଧ୍ବ ପ୍ରବାସୀ, ସଙ୍ଗରୋଧ ନିମନ୍ତେ ପ୍ରସ୍ତୁତ ହୋଇଛି ୩୫,୧୨୪ ଶଯ୍ୟା

ପଞ୍ଜୀକରଣ କରିଛନ୍ତି ୫୦ହଜାରରୁ ଊର୍ଧ୍ବ

ବାରିପଦା: ମୟୂରଭଞ୍ଜ ଜିଲ୍ଲାକୁ ଆଜିସୁଦ୍ଧା ୧୫ହଜାର ୧୨୭ ଜଣ ପ୍ରବାସୀ ଫେରିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୯ହଜାର ୭ଶହ ୯୬ଜଣ ସଙ୍ଗରୋଧ କେନ୍ଦ୍ରରେ ରହୁଥିବାବେଳେ ୫ହଜାର ୩ଶହ ୩୧ଜଣ ସଙ୍ଗରୋଧ ସମୟ ସମାପ୍ତ କରି ଘରକୁ ଫେରିସାରିଲେଣି। ଜିଲ୍ଲାରେ ଆଜିସୁଦ୍ଧା ୮୩୭ଟି ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର ସ୍ଥାପନା କରାଯାଇ ସଙ୍ଗରୋଧ ନିମନ୍ତେ ୩୫ହଜାର ୧୨୪ ଶଯ୍ୟା ପ୍ରସ୍ତୁତ କରାଯାଇଛି।

ତେବେ ଜିଲ୍ଲାକୁ ଫେରିବା ନିମନ୍ତେ ପ୍ରାୟ ୫୦ହଜାରରୁ ଊର୍ଧ୍ବ ପଞ୍ଜିକରଣ କରିଛନ୍ତି। ଯଦିଓ ଏହି ପଞ୍ଜିକରଣ ସଂଖ୍ୟା ସମ୍ପୂର୍ଣ୍ଣ ସଠିକ୍ ନୁହେଁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସଂଖ୍ୟାରେ ଜଣେ ଜଣେ ବ୍ୟକ୍ତି ଏକାଧିକବାର ପଞ୍ଜୀକରଣ କରିଛନ୍ତି। ତେଣୁ ସଂଖ୍ୟା ୫୦ହଜାରଠାରୁ ଯଥେଷ୍ଟ କମ୍ ରହିବ ବୋଲି କୁହାଯାଇଛି। ତେବେ ଜିଲ୍ଲାକୁ ପ୍ରତିଦିନ ପ୍ରବାସୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି।

ଆଜି ଜିଲ୍ଲାକୁ ପ୍ରଥମଥର ପାଇଁ ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଆସିଛି। ମାତ୍ର ପ୍ରତିଦିନ ବସ୍, ଟ୍ରକ୍, ସାଇକେଲ୍ ଏପରିକି ସ୍ଥଳବିଶେଷରେ ପାଦରେ ଚାଲି ଚାଲି ସହଶ୍ରାଧିକ ପ୍ରବାସୀ ବଡ଼ ଦୟନୀୟ ପରିସ୍ଥିତିରେ ଜନ୍ମମାଟିକୁ ଫେରୁଥିବା ଲକ୍ଷ୍ୟ କରାଯାଉଛି। ଜିଲ୍ଲାର ୨୬ଟି ବ୍ଲକରେ ୪୮୨ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ରରେ ଆଜି ସୁଦ୍ଧା ୯ହଜାର ୬ଶହ ୮୩ଜଣ ରହୁଛନ୍ତି।

ସେହିପରି ପୂର୍ବରୁ ୫ହଜାର ୨ଶହ ୮୧ଜଣ ସଙ୍ଗରୋଧ ସମୟ ସମାପ୍ତ କରି ଘରକୁ ଯାଇସାରିଛନ୍ତି। ଏହିପରି ଭାବେ ୨୬ ବ୍ଲକ୍କୁ ମୋଟ ୧୪ହଜାର ୯ଶହ ୬୪ଜଣ ଆସିଛନ୍ତି। ସେହିପରି ୪ ପୌରାଞ୍ଚଳର ୬ଟି ଅସ୍ଥାୟୀ ମେଡିକାଲ୍ କେନ୍ଦ୍ରରେ ବର୍ତ୍ତମାନ ସମୟରେ ୧୧୩ ଜଣ ଥିବା ବେଳେ ୫୦ଜଣ ଛାଡ଼ ପାଇସାରିଛନ୍ତି। ଏହି ଚାରି ପୌରାଞ୍ଚଳକୁ ମୋଟ ୧୬୩ଜଣ ପ୍ରବାସୀ ଫେରିଛନ୍ତି। ଜିଲ୍ଲାକୁ ମୋଟ ୧୫ହଜାର ୧୨୭ଜଣ ପ୍ରବାସୀ ଫେରିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଜିଲ୍ଲାର ୨୬ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ୮୨୬ ସଙ୍ଗରୋଧ କେନ୍ଦ୍ରରେ ୩୪ହଜାର ୧୪୪ ଶଯ୍ୟା ପ୍ରସ୍ତୁତ କରାଯାଇଛି। ସେହିପରି ୪ ପୌରାଞ୍ଚଳରେ ୧୧ ଟିଏମ୍ସିରେ ୯୮୦ ଶଯ୍ୟା ପ୍ରସ୍ତୁତ କରାଯାଇଛି। ଏହିପରି ଭାବେ ଜିଲ୍ଲାରେ ସଙ୍ଗରୋଧ ନିମନ୍ତେ ମୋଟ ୩୫ହଜାର ୧୨୪ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ପ୍ରବାସୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର