କଟକ: ଜଗତପୁରରୁ ୧୫ଶହ ଲିଟର ଅପମିଶ୍ରିତ ଖାଇବା ତେଲ ଜବତ, ଜଣେ ଗିରଫ

କଟକ: ଆନ୍ଧ୍ରପ୍ରଦେଶରୁ ଆସୁଥିଲା ଶସ୍ତା ତେଲ। ତାକୁ ଏଠାରେ ବିଭିନ୍ନ ବ୍ରାଣ୍ଡ୍‌ର ଶୋରିଷ ତେଳ ଓ ରିଫାଇନ୍‌ ତେଲ ସହିତ ମିଶ୍ରଣ କାଯାଇ ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ଖାଇବା ତେଲ। ଅପମିଶ୍ରିତ ତେଲକୁ ବଜାର ଦରରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାଓ ଯାଜପୁର ଜିଲ୍ଲାରେ ବିକ୍ରି କରାଯାଉଥିଲା। ଏହିପରି ଏକ ର‍୍ୟାକେଟର ପର୍ଦ୍ଦାଫାସ କରିଛି ଜଗତପୁର ପୁଲିସ। କଟକ ଜିଲ୍ଲା ଜଗତପୁର ଗୋଲେଇଛକରେ ଥିବାଏକ ଗୋଦାମରୁ ଏହିପରି ଅପମିଶ୍ରିତ ୧୦୦ ଟିଣ ଶୋରିଷ ତେଲ ଓ ରିଫାଇନ୍‌ ତେଲ ପୁଲିସ ଜବତ କରିବା ସହିତ ଏହି ଘଟଣାରେ ଜଣକୁ ଗିରଫ କରିଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ଅନ୍ୟ କେତେଜଣ ପୁଲିସ ଚଢ଼ାଉର ପୂର୍ବାନୁମାନ ପାଇ ଖସିଯିବାରେ ସକ୍ଷମ ହୋଇଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ପୁଲିସକୁ ଠୋସ୍‌ ସୂଚନା ମିଳିଥିଲା ଯେ ଜଗତପୁର ଗୋଳେଇ ଛକ ନିକଟରେ ଥିବା ଏକ ଗୋଦାମରେ କିଛି ଅପମିଶ୍ରଣ କାରବାର ଚାଲିଛି। ତେଣୁ ଆଜି ସକାଳୁ ପୁଲିସ ଏହି ଗୋଦାମ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଠାରେ ବିଭିନ୍ନ ଦାମୀ ବ୍ରାଣ୍ଡର ଶୋରିଷ ତେଲ ଓ ରିଫାଇନ୍‌ ତେଲର ଲେବ୍‌ଲ ଜବତ କରାଯାଇଛି। କେବଳ ସେତିକି ନୁହେଁ, ୧୫ଶହ ଲିଟର ଅପମିଶ୍ରିତ ଶୋରିଷ ତେଲ ଓ ରିଫାଇନ୍‌ ତେଲ ୧୦୦ଟି ଟିଣରେ ଭର୍ତ୍ତି ହୋଇଥିବା ଅବସ୍ଥାରେ ମଧ୍ୟ ଜବତ କରାଯାଇଛି। ଏହି ଘଟଣାର ପୁଲିସ କଟକ ସହର ମଙ୍ଗଳାବାଗ ଭଣ୍ଡାରିସାହିର ଅନାଦି ବେହେରାଙ୍କୁ ଗିରଫ କରିଛି। ପୁଲିସକୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ପ୍ରକାରର ତେଲ ଲିଟର ପିଛା ୧୨ରୁ ୧୫ ଟଙ୍କା ଦରରେ କିଣି ଏଠାରେ ଆଣି ଶୋରିଷ ତେଲ ଓ ରିଫାଇନ୍‌ ତେଲରେ ମିଶାଯାଇ ଲିଟର ପ୍ରତି ୮୦ ଟଙ୍କା ଦରରେ ବିକ୍ରି କରାଯାଉଥିଲା। ଘଟଣାର ତଦନତ ହେଲେ ବହ ତଥ୍ୟ ପଦାକୁ ଆସିବ ବୋଲିି ପୁଲିସ କହିିଛି।

ସମ୍ବନ୍ଧିତ ଖବର