ଗଣ୍ଡରୁଟଲି ଘାଟୀରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍‌, ୧୬ ଆହତ, ୫ ଗୁରୁତର

ସୁନ୍ଦରଗଡ଼: ବଡ଼ଗା ଥାନା ଅନ୍ତର୍ଗତ ଗଣ୍ଡରୁଟଲି ଘାଟୀରେ ରବିବାର ଅପରାହ୍ଣରେ ଏକ ବେସରକାରୀ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ ଦୁର୍ଘଟଣାରେ ୧୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀ ଗୁରୁତର ଅଛନ୍ତି। ସମସ୍ତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଘରୋଇ ବସ୍‌ ‘ରାଜା ଡାଇମଣ୍ଡ’ ସବଡେଗାରୁ ରାଜଗାଙ୍ଗପୁର ଯାଉଥିଲା। ଟାଙ୍ଗର ଗାଁ ଓ ଏକାମା ମଝିରେ ଥିବା ଗଣ୍ଡରୁଟଲି ଘାଟିରେ ବସ୍‌ର ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଯାତ୍ରୀବାହୀ ବସ୍‌ ଓଲଟିପଡ଼ିଥିଲା। ବଡ଼ଗାଁ ଆଇଆଇସି ସୂର୍ଯ୍ୟକାନ୍ତି ଦାସ ସୂଚନା ଦେଇଛନ୍ତି।

ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିବା ପାଇଁ ବହୁ ସମୟ ଲାଗିଛି। ଦୁର୍ଘଟଣାସ୍ଥଳ ଦେଇ ଯାଉଥିବା ଲୋକମାନଙ୍କର ସହାୟତାରେ ଆହତମାନଙ୍କୁ ବଡ଼ଗାଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁତରମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ହସ୍‌ପିଟାଲ ନିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର