ଚାନ୍ଦବାଲି:ପୋଖରି ଖୋଳିଲା ବେଳେ ମିଳିଲା ୧୭୪ ଶଙ୍ଖ

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ଜଳେଶ୍ୱରପୁର ମଝି ସାହିରେ ଏକ ଚୁଙ୍ଗୁଡ଼ି ପୋଖରି ଖୋଳାଯାଉଥିବା ବେଳେ ଶତାଧିକ ଶଙ୍ଖ ଗୋଟିଏ ସ୍ଥାନରୁ ମିଳିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଶଙ୍ଖଗୁଡ଼ିକୁ ଦେଖିବା ପାଇଁ  ଆଖପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟିଥିବା ବେଳେ ଏହାକୁ ନେଇ ବିଭିନ୍ନ ରୋଚକ ଆଲୋଚନା ଆରମ୍ଭ ହୋଇଯାଇଛି। ପୂର୍ବେ  ଜଲେଶ୍ୱରପୁର ଗାଁଟି ସମୁଦ୍ର ଥିଲା  ବୋଲି ମଧ୍ୟ ଲୋକେ କହିବା ଆରମ୍ଭ କରି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  ଜଳେଶ୍ୱରପୁର ମଝିସାହି ଗାଁର ଜଗନ୍ନାଥ ଯତି ନାମକ ଜଣେ ବ୍ୟକ୍ତି ନିଜ ଜମିରେ ଚିଙ୍ଗୁଡ଼ି ଚାଷ ପାଇଁ ପୋଖରି ଖୋଳୁଥିଲେ। ମାତ୍ର ୪ ଫୁଟ୍‌ ଖୋଳିବା ପରେ ପୋଖରି ଖୋଳିବା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଶଙ୍ଖ ପାଇଥିଲେ। ତେବେ ଏହା ଗୋଟିଏ କିମ୍ବାଦୁଇଟି ନ ଥିଲା। ଏଠାରୁ ଉଦ୍ଧାର ହୋଇଥିଲା ଶତାଧିକ ଶଙ୍ଖ। ଏହି ସବୁ ଶଙ୍ଖକୁ ସଂଗ୍ରହ କରିବାରୁ ଏହାର ସଂଖ୍ୟା  ହୋଇଥିଲା ୧୭୪।

ସୂଚନା ଯୋଗ୍ୟ ଯେ ଜଳେଶ୍ୱର ଗାଁ ଠାରୁ ସମୁଦ୍ର ପ୍ରାୟ  ୨୫ କିଲୋମିଟର ଦୂରରେ। ତେଣୁ ସମୁଦ୍ର ଠାରୁ ଏତେ ଦୂରରେ  ଏତେ ବିପୁଳ ପରିମାଣର ସାମୁଦ୍ରିକ ଜୀବଙ୍କ  ଦେହାବଶେଷ କିପରି ମିଳିଲା ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର