ଢେଙ୍କାନାଳ: ବାଇକ ସହିତ କେନାଲକୁ ଖସି ଦୁଇ ଯୁବକ ମୃତ

ଢେଙ୍କାନାଳ: ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ନିକଟରେ କେନାଲ ଉପରେ ପୋଲ ନିର୍ମାଣ ପାଇଁ ଖୋଳା ଯାଇଥିବା ଗର୍ତ୍ତରେ ପଡ଼ି ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ବାଇକରେ ଯାଉଥିବା ଏହି ଦୁଇଜଣ ପାୟ ୨୦ ଫୁଟ୍‌ ତଳକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଆଜି ସକାଳୁ ବାଇକ ସହିତ ଦୁଇ ଜଣ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟି ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।
ପୁଲିସ ସୂତରୁ ମିଳିଥିବା ସୂଚନା ଅନୁଯାୟୀ, ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତଗତ ଶଙ୍କରପୁର- ସପ୍ତଶଯ୍ୟା ରାସ୍ତାର ପଦ୍ମନାଭପୁର ଗାଁ ନିକଟରେ ରାସ୍ତା ନିମାଣ କାର୍ଯ୍ୟ ଚାଲିଛି। ସେଠାରେ ଏକ ପୋଲ ନିର୍ମାଣ ପାଇଁ ରାସ୍ତା କଡ଼ରେ ଥିବା କେନାଲରେ ବଡ଼ ଗାତ ଖୋଳାଯାଇଛି। ତେବେ ସେହି ରାସ୍ତାରେ ଯାଉଥିିବା ବେଳେ ଦୁଇଜଣ ବାଇକ ଆରୋହୀ ରାସ୍ତାରୁ ସେହି ବିରାଟ ଗାତ ଭିତକୁ ଖସିପଡ଼ିଥିଲେ। ଫଳରେ ଉଭୟଙ୍କର ସେଠାରେ ମୃତ୍ୟୁ ଘଟିଛି। ମୃତ ଯୁବକମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଯୁବକଙ୍କର ପରିଚୟ ମିଳି ପାରି ନାହିଁ। ଯେଉଁ ଯୁବକଙ୍କର ପରିଚୟ ମିଳିଛି ତାଙ୍କ ନାମ ବେଣୁଧର ପ୍ରଧାନ ଓ ଘର ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗାଁରେ ବୋଲି ପୁଲିସ କହିଛି। ପୁଲିସ ମୃତଦେହ ଦୁଇଟିକୁ ପଞ୍ଚନମା କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର