ଯାଜପୁର: ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ କୁରକୁରା ଗାଁରେ ରବିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ଗାଧୋଉଥିବା ସମୟରେ ଦୁଇଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ହୃଷିକେଶ ସ୍ୱାଇଁଙ୍କ ଝିଅ ସଙ୍ଗୀତା ସ୍ୱାଇଁ ଓ ଅନ୍ୟ ଜଣେ ବିପିନ୍‌ ସ୍ୱାଇଁଙ୍କ ଝିଅ ରୋଶନି ସ୍ୱାଇଁ ବୋଲି ଜଣାପଡ଼ିଛି। ଏମାନେ ସମ୍ପର୍କରେ ପିଉସୀ ଝିଅ ଓ ମାମୁଁ ଝିଅ ହେବେ।

ସୂଚନାଯୋଗ୍ୟ, ହୃଷିକେଶ ସ୍ୱାଇଁଙ୍କ ଝିଅ ସଙ୍ଗୀତା ସ୍ୱାଇଁ ଓ ବିପିନ ସ୍ୱାଇଁ ଝିଅ ରୋଶନି ସ୍ୱାଇଁ ରବିବାର ନିଜ ବୁଢ଼ି ମା’ ସହିତ ଅଙ୍ଗନବାଡି କେନ୍ଦ୍ରକୁ ଖାଦ୍ୟ ପାଇଁ ଯାଇଥିଲେ। ସେଠାରୁ ଫେରିବା ପରେ ଘରେ ଜିନିଷ ପତ୍ର ରଖି ଦେଇ ସେହି ଅଙ୍ଗନବାଡି କେନ୍ଦ୍ର ପାଖରେ ଖୋଳା ଯାଇଥିବା ନୁଆ ପୋଖରୀକୁ ଗୋଧେଇବା ପାଇଁ ଯାଇଥିଲେ। ପୋଖରୀ କୂଳରେ ପୋଷାକ ପତ୍ର ଓହ୍ଲାଇ ଦେଇ ଗୋଧୋଉ ଥିବା ସମୟରେ ଗୋଡ ଖସି ଯାଇଥିଲା ଓ ଦୁଇ ଭଉଣୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଘରୁକୁ ଫେରିବା ବିଳମ୍ବ ହେବାରୁ ପରିବାରଲୋକେ ଅନେକ ଖୋଜଖୋଜି କରିଥିଲେ। କିଛିଲୋକେ ପୋଖରୀ କୂଳରେ ପୋଷାକ ପଡ଼ିଥିବା ଦେଖିବାକୁ ପାଇଥିଲେ, ଏହାପରେ ପୋଖରୀ ଭିତରୁ ଦୁଇ ଭଉଣୀଙ୍କ ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର