୨ ସ୍ବତନ୍ତ୍ର ଟ୍ରେନରେ ଫେରିଲେ ୨୦୯ ପ୍ରବାସୀ ଓଡ଼ିଆ ଶ୍ରମିକ, କଡ଼ା ସୁରକ୍ଷାରେ ଗଲେ ନିଜ ଜିଲ୍ଲାକୁ 

ରାୟଗଡ଼ା: ୨ଟି ସ୍ବତନ୍ତ୍ର ଟ୍ରେନରେ କେରଳ, ଆନ୍ଧ୍ରପ୍ରଦେଶରୁ ଫେରିଛନ୍ତି ୨୦୯ ପ୍ରବାସୀ ଓଡ଼ିଆ ଶ୍ରମିକ। ରାୟଗଡ଼ା ଷ୍ଟେସନରେ ସମସ୍ତ ଶମ୍ରିକ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା ସହ ପଞ୍ଜିକରଣ କରିବା ପରେ କଡ଼ା ସୁରକ୍ଷାରେ ନିଜ ଜିଲ୍ଲା ଅଭିମୁଖେ ଯାଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ରାୟଗଡ଼ା ସହରରେ ୧୪୪ ଧାରା ଜାରି କରାଯାଇଥିଲା।

ଲକଡାଉନ୍ ପରେ ପ୍ରଥମ ଥର ପାଇଁ ଟ୍ରେନ ଯୋଗେ ରାୟଗଡ଼ା ଫେରିଛନ୍ତି ପ୍ରବାସୀ ଶ୍ରମିକ। ସକାଳ ୮ଟାରେ ପହଞ୍ଚିଥିବା ପ୍ରଥମ ଟ୍ରେନ୍ ତାମିଲନାଡ଼ୁର ତିରପୁରରୁ ବାହାରି ରାୟଗଡ଼ା, ବଲାଙ୍ଗୀର ଦେଇ ବାଲେଶ୍ବର ଯାଇଛି। ରାୟଗଡ଼ା ଷ୍ଟେସନକୁ ଅବିଭକ୍ତ କୋରାପୁଟ ସମେତ ଗଜପତି, କନ୍ଧମାଳ ଜିଲ୍ଲା ପାଇଁ ନୋଡାଲ୍ ଷ୍ଟେସନ ଭାବେ ଚିହ୍ନଟ କରାଯାଇଛି।

ପ୍ରଥମ ଟ୍ରେନରୁ ନବରଙ୍ଗପୁର ଜିଲ୍ଲାର ୫୬, ଗଜପତି ଜିଲ୍ଲାର ୨୮, କୋରାପୁଟ ଜିଲ୍ଲାର ୬, କନ୍ଧମାଳ ଜିଲ୍ଲାର ୫ ଏବଂ ରାୟଗଡ଼ା ଜିଲ୍ଲାର ୨୬ ଶ୍ରମିକ ମୋଟ ୧୨୧ ଶ୍ରମିକ ଓହ୍ଲାଇଛନ୍ତି। ଶ୍ରମିକଙ୍କ ଘର ବାହୁଡ଼ା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡ଼ା ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଷ୍ଟେସନରେ ୧୦ଟି କାଉଣ୍ଟର୍ ଖୋଲାଯାଇଥିବା ବେଳେ ପ୍ରଥମେ ଶ୍ରମିକଙ୍କ ଥର୍ମାଲ ସ୍କ୍ରିନିଂ ପରେ ପଞ୍ଜିକରଣ କରାଯାଇ ହାତରେ ଅଲିଭା କାଳିର ଷ୍ଟାମ୍ପ ଲଗାଯାଇ ସମ୍ପୃକ୍ତ ଜିଲ୍ଲାର ନୋଡ଼ାଲ ଅଫିସରଙ୍କୁ ହସ୍ତାନ୍ତର କରାଯାଇଥିଲା।

ଅଫିସରମାନେ ନିଜ ଜିଲ୍ଲାରୁ ଆଣିଥିବା ବସରେ ପୁଲିସ ସୁରକ୍ଷା ମଧ୍ୟରେ ଶ୍ରମିକଙ୍କୁ ନେଇ ଫେରିଛନ୍ତି। ରାୟଗଡ଼ା ଆସିଥିବା ଶ୍ରମିକଙ୍କ ମଧ୍ୟରେ ମୁନିଗୁଡ଼ାର ୫, ବିଷମକଟକର ଜଣେ, ରାୟଗଡ଼ାର ୨ ଜଣ, କୋଲନରାର ଜଣେ, ଗୁଣପୁରର ୬ ଜଣ, ରାମନାଗୁଡ଼ାର ୨ ଜଣ, କାଶୀପୁରର ୯ ଜଣ ଶ୍ରମିକ ଅଛନ୍ତି। ସେହିପରି ମଧ୍ୟାହଣ୍ ୧.୩୦ ମିନିଟରେ ପହଞ୍ଚିଥିବା ଦ୍ବିତୀୟ ଟ୍ରେନ୍ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ବର ପର୍ଯ୍ୟନ୍ତ ଯାଇଛି।

ରାୟଗଡ଼ାରେ ଦ୍ବିତୀୟ ଟ୍ରେନ୍ ପହଞ୍ଚିବା ପରେ ନବରଙ୍ଗପୁର ଜିଲ୍ଲାର ୧୪, ଗଜପତି ଜିଲ୍ଲାର ଜଣେ, କୋରାପୁଟ ଜିଲ୍ଲାର ୩୫, , କନ୍ଧମାଳ ଜିଲ୍ଲାର ୭ ଏବଂ ରାୟଗଡ଼ା ଜିଲ୍ଲାର ୩୧ ଜଣ ଶ୍ରମିକ ଓହ୍ଲାଇଥିଲେ। ଏମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି। ରାୟଗଡ଼ାର ୩୧ ଶ୍ରମିକଙ୍କ ମଧ୍ୟରେ କେବଳ ରାୟଗଡ଼ା ବ୍ଲକର ୧୬ ଶ୍ରମିକ ରହିଛନ୍ତି। ଫେରନ୍ତା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଟ୍ରେନରୁ ଓହ୍ଲାଇ ନିଜ ଜିଲ୍ଲାକୁ ପଠାଇବା ଲାଗି ଦୁଇ ଦିନ ଧରି ଜିଲ୍ଲା ପ୍ରଶାସନ କସରତ କରିଥିଲା। ଗତକାଲି ମଧ୍ୟରାତ୍ରିରୁ ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ସହର ସମେତ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ନିର୍ଦେଶକ ଅମ୍ରିତ୍ ଋତୁରାଜ୍, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପୌର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର