ବିଶାଖାପାଟଣାରୁ ସାଇକେଲ୍‌ରେ ସୋନପୁର ରାସ୍ତା ଦେଇ ବିହାର ଗଲେ ୨୩ ଜଣ ଦାଦନ ଶ୍ରମିକ

ବିନିକା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ବିଭିନ୍ନ କମ୍ପାନିରେ କାର୍ଯ୍ୟରତ ବିହାରର ଏକ ଦାଦନ ଶ୍ରମିକ ଦଳ କରୋନା ଭାଇରସ୍ ପାଇଁ ଦେଶରେ ଲକ୍‌ଡାଉନ ଲାଗୁ ହେବା ପରେ ସେଠାରୁ ସାଇକେଲରେ ଫେରି ଆସିଛନ୍ତି । ପ୍ରବାସୀ ଶ୍ରମିକମାନେ ସାଇକେଲରେ ସୋନପୁର ରାସ୍ତା ଦେଇ ବିହାର ଯାଇଛନ୍ତି । ବିହାରୀ ଶ୍ରମିକମାନେ ସୋନପୁର ସହରରୁ ବିନିକାରେ ପହଞ୍ଚିଥିଲେ । ଗଣମାଧ୍ୟମକୁ ଶ୍ରମିକମାନେ କହିଛନ୍ତି, ସମସ୍ତ ୨୩ ଜଣ ବିଶାଖାପାଟଣାରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ଲକ୍‌ଡାଉନ ହୋଇିଥିବାରୁ ସମସ୍ତେ ସାଇକେଲ ଯୋଗେ ବିହାରକୁ ଯାଉଛନ୍ତି ବୋଲି କହିଥିଲେ ।

ଶ୍ରମିକମାନଙ୍କର ଅବସ୍ଥା ଦେଖି ବିନିକା ଏସ୍‌ଆଇ ଟଙ୍କଧର ଛତ୍ରିଆ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ପରେ ଶ୍ରମିକମାନଙ୍କୁ ଦୁଇଟି ଟ୍ରକରେ ବିହାର ନିଆଯାଇଛି । ଶ୍ରମିକଙ୍କୁ ଛାଡ଼ି ଆସିବା ପରେ ଟ୍ରକଙ୍କୁ ବିଶୋଧନ କରାଯାଇଥିଲା ।

ସୂଚନାଯୋଗ୍ୟ, କରୋନା ଭାଇରସ୍ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶରେ ଲକ୍‌ଡାଉନ ଲାଗୁ ହୋଇଥିବା ବେଳେ ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ଘର ବାହୁଡ଼ା ହେଉଛନ୍ତି । ସାଧାରଣ ପରିବହନ ବନ୍ଦ ହୋଇଯାଇଥିବାରୁ ଶ୍ରମିକମାନେ ନିଜସ୍ୱ ବୁଦ୍ଧିରେ ଘରକୁ ଫେରୁଛନ୍ତି । ପ୍ରବାସୀମାନେ ନିଜର ଟଙ୍କାରେ ଡଙ୍ଗା କିଣି ସମୁଦ୍ରରେ ଘରକୁ ଫେରିଆସୁଛନ୍ତି । ଚେନ୍ନାଇରୁ ୩ଟି ଦଳ ଭିନ୍ନ ଭିନ୍ନ ସମୟରେ ଡଙ୍ଗାରେ ଓଡ଼ିଶା ଆସିଛନ୍ତି । ସେହିପରି ଅନ୍ୟ ଏକ ପ୍ରବାସୀ ଓଡ଼ିଆ ଦଳ ବିଶାଖାପାଟଣା ଠାରୁ ଜଳଯାତ୍ରା ଆରମ୍ଭ କରି ଚନ୍ଦ୍ରଭାଗାରେ ନିକଟରେ ପହଞ୍ଚିଥିଲେ ।

ସମ୍ବନ୍ଧିତ ଖବର