କେରଳରେ ଫସିଛନ୍ତି ୨୪ ଜଣ କଳାହାଣ୍ଡିର ଦାଦନ ଶ୍ରମିକ 

ଲକଡାଉନ ପାଇଁ ୩୭ଟି ମାମଲା ରୁଜୁ, ୫୫ଜଣ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକର ଧଅରପୁର, ଜୟନ୍ତପୁର, ଗଡ଼ିଆଯୋର ପ୍ରଭୁତି ଅଞ୍ଚଳର ୨୪ଜଣ କେରଳର କୋଟାୟାମକୁ ଦାଦନ ଖଟିବାକୁ ଯାଇଥିଲେ । କରୋନା ଯୋଗୁଁ ଲକଡାଉନ ହେବା ଫଳରେ ସେମାନେ ସେଠାରୁ ଫେରିପାରୁ ନାହାନ୍ତି । କାମଧନ୍ଦା ବନ୍ଦ ଯୋଗୁଁ ସେମାନଙ୍କ ପାଖରେ ଅର୍ଥର ଅଭାବ ଦେଖାଦେଇଛି । ପାଖରେ ଯାହା ଥିଲା ଟଙ୍କା ଖର୍ଚ୍ଚ ହୋଇ ସାରିଛି । ଟଙ୍କା ଅଭାବ ଯୋଗୁଁ ଖାଇବାକୁ ମଧ୍ୟ ପାଇ ପାରୁନାହାନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

ଗତ ଗୁରୁବାର ଦିନ ଲକଡାଉନ ବେଳେ ଆଇନ ଉଲଂଘନ କରିଥିବା ଯୋଗୁଁ ପୁଲିସ ପକ୍ଷରୁ ୩୭ଟି ମାମଲା ରୁଜୁ କରାଯାଇଛି । ଏ ନେଇ ୩୪ଟି ବାଇକ ଜବତ କରିଥିବା ବେଳେ ୫୫ଜଣଙ୍କୁ ଗିରଫ କରିଥିବା ପୁଲିସ ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଗତକାଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ୪୪ଟି ଟିମ ୨୭୯ଟି ଗାଁ ରେ ୮୭୮ ଜଣଙ୍କ ସ୍କ୍ରିନିଙ୍ଗ କରିଥିଲେ । ସେହିଭଳି ୩ ହଜାର ୭୩୨ଟି ପରିବାରକୁ ଯାଇ ସଚେତନ କରିଥିଲେ ।

ଭବାନୀପାଟଣା ସହରରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲକଡାଉନ ସମୟରେ ଘରୁ ବାହାରକୁ ନ ବାହାରି ଅତ୍ୟାବଶ୍ୟକ ସାମଗ୍ରୀ ମଗାଇବା ପାଇଁ ଭବାନୀପାଟଣା ପୌରପାଳିକା ପକ୍ଷରୁ ଅନୁରୋଧ କରାଯାଇଛି । ସାମଗ୍ରୀ ମଗାଇବା ପାଇଁ ମୋବାଇଲ ନଂ ୯୫୫୬୦୦୪୪୦୪ ଓ ୯୮୬୧୮୧୩୮୫୮ ଏବଂ ଲ୍ୟାଣ୍ଡଲାଇନ ନଂ ୦୬୬୭୦-୨୩୦୪୨୪କୁ ସକାଳ ୭ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମର୍କ କରିବା ପାଇଁ ଅନୁରୋଧ କରାଯାଇଛି ।

ଆଜି ଭବାନୀପାଟଣା ବିଜୁ ଯୁବ ବାହିନୀ ତରଫରୁ ଭବାନୀପାଟଣା ପୌରପାଳିକାରେ କରୋନା ଭୁତାଣୁ ସମ୍ପର୍କିତ ଜନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ବିଜୁ ଯୁବ ବାହିନୀ ର ସ୍ବେଚ୍ଛାସେବୀ ମାନେ ଆଜି ଭବାନୀପାଟଣା ସହରର ସମସ୍ତ କିରାନା ଦୋକାନ, ଫଳ ଦୋକାନ, ପନିପରିବା ସାମୁହିକ ବଜାର ପ୍ରମୁଖ ଯାଇ ଜନସାଧାରଣ ଙ୍କୁ ସାମାଜିକ ଦୂରତା ରଖି ସାମଗ୍ରୀ କିଣିବା ପାଇଁ ଅନୁରୋଧ କରିଥିଲେ । ସ୍ବେଚ୍ଛାସେବୀ ମାନେ ସମସ୍ତ ଦୋକାନ ଆଗରେ ଧଳା ଚୁନ ଜରିଆରେ ୧ମିଟର ବ୍ୟବଧାନରେ ଚିହ୍ନ ଦେଇ ସାମାଜିକ ଦୂରତା ରଖିବାକୁ ଦୋକାନୀ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ ।

ସୂଚନା ଥାଉ କି, ସାରା ବିଶ୍ବରେ କରୋନା ଭୂତାଣୁ ୨୦୧୯ ଏକ ମହାମାରୀ ର ରୂପ ନେବା ସହ ମାନବ ଜାତି ପାଇଁ ବହୁତ ବଡ଼ ଆହ୍ବାନ ସୃଷ୍ଟି କରିଛି । ଭାରତରେ ମଧ୍ୟ ଉତ୍କଟ ରୂପ ନେବା ଆରମ୍ଭ କରିଛି । ଓଡିଶା ରେ ୩ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇସାରିଲେଣୀ । ଏଣୁ ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ସମସ୍ତେ ସାମାଜିକ ଦୂରତ୍ୱ ରଖିବା ସହ ଲକ୍ ଡାଉନ ସମୟରେ ଘରେ ହିଁ ରହିବା ଉଚିତ ବୋଲି ସ୍ଵେଚ୍ଛାସେବୀ ମାନେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ପଇସା ଲେଣ ଦେଣ କରୁଥିବା ରୁ ଦୋକାନୀ ଓ ଗ୍ରାହକଙ୍କୁ ଭଲ ଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୋଇବା ପାଇଁ ଅନୁରୋଧ କରିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମ ରେ ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା, ରାକେଶ ଗହୀର, ମହମ୍ମଦ ଇସମାଇଲ, ରାଜେନ୍ଦ୍ର ବେହେରା, ଯତିନ ଦାସ, ମହମ୍ମଦ ମହସିନ, କାର୍ତ୍ତିକ ସାମଲ, ବିବେକ ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର